Categories: ଖେଳ

ଏନ୍‌ବିଏ: ସାକ୍ରାମେଣ୍ଟୋକୁ ହରାଇଲା ଇଣ୍ଡିଆନା

ମୁମ୍ବାଇ,୫।୧୦(ପି.ଟି.)- ଆମେରିକାର ଜଣାଶୁଣା ବାସ୍କେଟବଲ୍‌ ଲିଗ୍‌ ଏନ୍‌ବିଏ ଭାରତରେ ପଦାର୍ପଣ କରିଛି। ଶୁକ୍ରବାର ଏଠାରେ ପ୍ରଥମ ଏନ୍‌ବିଏ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି। ଏହି ଐତିହାସିକ ମ୍ୟାଚ୍‌ରେ ଇଣ୍ଡିଆନା ପେସର୍ସ ୧୩୨-୧୩୧ ବ୍ୟବଧାନରେ ସାକ୍ରାମେଣ୍ଟୋ କିଙ୍ଗ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ଆଗାମୀ ସେସନ ପୂର୍ବରୁ ଏନ୍‌ବିଏର ଏହା ପ୍ରି ସେସନ ମ୍ୟାଚ୍‌ ଥିଲା।
ନିର୍ଦ୍ଧାରିତ ସମୟ ଶେଷ ହେବା ବେଳକୁ ମ୍ୟାଚ୍‌ ୧୧୯-୧୧୮ ସମାନସ୍ତରରେ ଥିଲା। ଅତିରକ୍ତ ୫ ମିନିଟ୍‌ରେ ମ୍ୟାଚ୍‌ର ଫଳାଫଳ ନିରୂପଣ ହୋଇଥିଲା। ସାରା ମ୍ୟାଚ୍‌ରେ ପଛରେ ପଡିଥିବା ପେସର୍ସ ପ୍ରଥମଥର ପାଇଁ ଅଗ୍ରଣୀ ହାସଲ କରିବା ସହ ଶେଷରେ ବାଜି ମାରିଥିଲା। ମ୍ୟାଚ୍‌ ଅନ୍ତିମ ମୁହୂର୍ତ୍ତରେ କିଙ୍ଗ୍ସର ମାର୍ଭିନ ବାଗ୍‌ଲି ୨ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଦଳକୁ ଜିତାଇପାରି ନ ଥିଲେ। ବାଗ୍‌ଲି ମୋଟ୍‌ ଉପରେ ୧୨ ପଏଣ୍ଟ ହାସଲ କରିଥିଲେ। ଅତିରିକ୍ତ ସମୟରେ ପେସର୍ସର ଟି ଓ୍ବାରେନ୍‌ ଦଳକୁ ଅଗ୍ରଣୀ କରାଇଥିଲେ। ସେ ଥ୍ରୀ- ପଏଣ୍ଟର ସ୍କୋର କରି ଦଳକୁ ୧୨୧-୧୧୮ରେ ଅଗ୍ରଣୀ କରାଇଥିଲେ। ତେବେ ଏହା ପରେ କିଙ୍ଗ୍ସ ପ୍ରତ୍ୟାବର୍ତ୍ତନ କରିଥିଲା। କିଙ୍ଗ୍ସର ହାରିସନ ବାର୍ନେସ ଦୁଇ ପଏଣ୍ଟ ସ୍କୋର କରିଥିଲେ। ଏହି ଭଳି ମ୍ୟାଚ୍‌ରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିମାକୁ ମିଳିଥିଲା ଓ ଶେଷରେ ପେସର୍ସ ବାଜି ମାରିଥିଲା।
ପ୍ରଥମ କ୍ୱାର୍ଟରରେ କିଙ୍ଗ୍ସ ୫୧- ୩୮ରେ ଅଗ୍ରଣୀ ହୋଇଥିଲା। ସେହିପରି ଦ୍ୱିତୀୟ କ୍ୱାର୍ଟରରେ କିଙ୍ଗ୍ସ ୭୨-୫୯ରେ ଆଗୁଆ ହୋଇଥିଲା। ତୃତୀୟ କ୍ୱାର୍ଟରରେ ପେସର୍ସ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍‌କୁ ୭୬-୭୭ ସ୍ତରକୁ ଆଣିଥିଲା। ତୃତୀୟ କ୍ୱାର୍ଟର ଶେଷ ବେଳକୁ କିଙ୍ଗ୍ସ ୯୭-୯୨ରେ ଅଗ୍ରଣୀ ହୋଇଥିଲା। ନିର୍ଦ୍ଧାରିତ ସମୟ ବେଳକୁ ମ୍ୟାଚ୍‌ ୧୧୮-୧୧୮ ସ୍ଥିତିରେ ରହିଥିଲା। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ର ଜବରଦସ୍ତ ମଜା ନେଇଥିଲେ ଷ୍ଟାଡିୟମରେ ଉପସ୍ଥିତ ଥିବା ବାଳକ ଓ ବାଳିକା ମାନେ। ଶନିବାର ଦ୍ୱିତୀୟ ପ୍ରି ସେସନ ମ୍ୟାଚ୍‌ ଖେଳାଯିବ। ଆସନ୍ତା ୨୨ ତାରିଖରେ ରେଗୁଲାର ସେସନ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।

Share