ନୂଆଦିଲ୍ଲୀ,୨୩।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ଯେବେବି ଇତିହାସ ଲେଖାଯିବ ସେଥିରେ ୨୦୧୯ ବିଧାନସଭା ନିର୍ବାଚନ ଓ ସରକାର ଗଠନକୁ ନେଇ ଉଲ୍ଲେଖ କରାଯିବ। କାରଣ ଏଠାରେ ମେଣ୍ଟ ସରକାରକୁ ନେଇ ଯେଉଁଭଳି ଡ୍ରାମା ଲାଗି ରହିଥିଲା ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଶିବସେନାକୁ କଡା ଜବାବ ଦେଲା ଭାଜପା। ଶେଷରେ ଏନ୍ସିପି ସହ ମେଣ୍ଟ କରି ଶନିବାର ସକାଳୁ ଦେବେନ୍ଦ୍ର ଫଡନବିଶ ହେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ। ଗୋଟିଏ ପଟେ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଶିବସେନା ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିବାକୁ ପାଗ ଭିଡୁଥିବା ବେଳେ ଅନ୍ୟପଟେ ଏନ୍ସିପି ନେତା ଅଜିତ ପାଓ୍ବାର ଭାଜପା ସହ ମିଶି ସରକାର ଗଠନ କରିଦେଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା। ଏବେ ଆଲୋଚନା ହେଉଛି କି ଅଜିତଙ୍କର ଏହି ବିଶ୍ୱାସଘାତକତା କାର୍ଯ୍ୟ ପାଇଁ ଶରଦ ତାଙ୍କୁ ଦଳରୁ ବାହାର କରି ଦେଇପାରନ୍ତି।