ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଏନ୍‌ସିସି ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼ ଅଫିସ/ପଦ୍ମପୁର,୨।୭- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବରଗଡ଼ ଜିଲା ପଦ୍ମପୁରସ୍ଥିତ ରାଜବୋରାସମ୍ବର ହାଇସ୍କୁଲର ଏନ୍‌ସିସି ଶିକ୍ଷକ ମୋହନ ବନଛୋରଙ୍କ ଘରେ ଚଢ଼ାଉ କରାଯାଇଛି। ପଦ୍ମପୁର କଲେଜ ଛକସ୍ଥିତ ଶିକ୍ଷକ ବନଛୋରଙ୍କ ବାସଭବନ ସମେତ ରାଜବୋରାସମ୍ବର ହାଇସ୍କୁଲ, ବରିକେଲସ୍ଥିତ ପୈତୃକ ଘର ଏବଂ ଶ୍ୱଶୁର ଘରେ ଭିଜିଲାନ୍ସର ୪ଟି ଟିମ୍‌ ପୃଥକଭାବେ ଏକକାଳୀନ ଚଢ଼ାଉ କରି ତନାଘନା ଚଲାଇଛନ୍ତି। ଚଢ଼ାଉରେ ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ବିରେନ୍ଦ୍ର କୁମାର ନାୟକ, ସମ୍ବଲପୁର ଭିଜିଲାନ୍ସ ଡିଏସ୍‌ପି ପରମେଶ୍ୱର କିଶାନଙ୍କ ତତ୍ତ୍ବାବଧାନରେ ଅନ୍ୟ ଅଧିକାରୀ, କର୍ମଚାରୀମାନେ ଅଂଶଗ୍ରହଣ କରିଛନ୍ତି । ଚଢ଼ାଉ ଜାରି ରହିଥିବା ଯୋଗୁ ସବିଶେଷ ତଥ୍ୟ ମିଳିପାରିନାହିଁ। ଚଢ଼ାଉ ସରିବା ପରେ ସମ୍ପତ୍ତି ଆକଳନ କରାଯିବ ଏବଂ ସମ୍ପୁର୍ଣ୍ଣ ତଥ୍ୟ ଦିଆଯିବ ବୋଲି ଡିଏସ୍‌ପି ନାୟକ କହିଛନ୍ତି ।

Share