Categories: ଫୁରସତ

ଏପର୍ଯ୍ୟନ୍ତ ଉଦ୍‌ଘାଟନ ହୋଇନି ଭାରତର ଏହି ଚର୍ଚ୍ଚିତ ପୋଲ

ବିଶ୍ୱରେ ଏମିତି କିଛି ପୋଲ ରହିଛି ଯାହାର ସ୍ବତନ୍ତ୍ରତା ପାଇଁ ଏହା ପ୍ରସିଦ୍ଧ। ସେହିଭଳି କୋଲକାତାର ପରିଚୟ ହେଉଛି ହାଓ୍ବଡା ବ୍ରିଜ୍‌। ଏହି ବ୍ରିଜର ରହିଛି ସ୍ବତନ୍ତ୍ର ପରିଚୟ। ବିଶ୍ୱରେ ଏହା ବେଶ୍‌ ପରିଚିତ। ହେଲେ ଏହି ପୋଲ ଆଜି ପର୍ଯ୍ୟନ୍ତ ଉଦ୍‌ଘାଟନ କରାଯାଇ ନାହିଁ ବୋଲି କୁହାଯାଏ। ଏହି ପୋଲର ଆୟୁ ପାଖାପାଖି ୭୬ ବର୍ଷ ହେବ। ହେଲେ ଆଜି ପର୍ଯ୍ୟନ୍ତ ଏହାର ଉଦ୍‌ଘାଟନ ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। କୁହାଯାଏ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ଏକ ଶକ୍ତିଶାଳୀ ବୋମା ପୋଲ ନିକଟରେ ପଡିଥିଲେ ସୁଦ୍ଧା ପୋଲର କୌଣସି କ୍ଷତି ହୋଇ ନ ଥିଲା। ଆଜି ଭଳି ସେବେ ମଧ୍ୟ ପୋଲ ସେମିତି ରହିଥିଲା। ବିବିସିରୁ ମିଳିଥିବା ସୂଚନା ଅନୁଯାଇ ଉନବିଂଶ ଶତାବ୍ଦିର ଶେଷ ଦଶକରେ ବ୍ରିଟିଶ ଇଣ୍ଡିଆ ସରକାର କୋଲକତା ଓ ହାଓ୍ବଡା ମଧ୍ୟରେ ପ୍ରବାହିତ ହେଉଥିବା ହୁଗଳି ନଦୀ ଉପରେ ଏକ ଭାସମାନ ପୋଲର ଯୋଜନା ପ୍ରସ୍ତୁତ କରିଥିଲେ। କାରଣ ସେ ସମୟରେ ହୁଗୁଳି ନଦୀ ମଧ୍ୟରେ କେତେ ଗୁଡିଏ ଜାହାଜ ଯିବା ଆସିବା କରୁଥିଲା। ତେଣୁ ଖମ୍ବଯୁକ୍ତ ପୋଲ ନିର୍ମାଣ କଲେ ଏଥିରେ ବାଧା ସୃଷ୍ଟି ହେବ ବୋଲି ଭାସମାନ ବା ଝୁଲା ପୋଲର ପରିକଳ୍ପନା କରାଯାଇଥିଲା। ଏହାପରେ ୧୮୭୧ରେ ହାଓ୍ବଡା ବ୍ରିଜ୍‌ ଆକ୍ଟ ପାସ୍‌ ହୋଇଥିଲା। ୧୯୩୬ରେ ଏହି ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ୧୯୪୨ରେ ଏହା ସମ୍ପୂର୍ଣ୍ଣ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ଏହା ଉଦ୍‌ଘାଟନ ହୋଇ ନାହିଁ।

Share