Categories: ଖେଳ

ଏପିଏଲ୍‌ ଆୟୋଜନକୁ ଅଗ୍ରାହ୍ୟ କଲା ବିସିସିଆଇ

ନୂଆଦିଲ୍ଲୀ, ୧୯ା୬ (ପି.ଟି.)-ଭାରତରେ ଏହାର ଟି୨୦ ଲିଗ୍‌ (ଏପିଏଲ)ଆୟୋଜନ କରିବା ସୁଯୋଗ ଦେବା ଲାଗି ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) କରିଥିବା ଅନୁରୋଧକୁ ବିସିସିଆଇ ଅଗ୍ରାହ୍ୟ କରିଦେଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କହିଛି ଆଫଗାନିସ୍ତାନ କ୍ରିକେଟର ବିକାଶ କ୍ଷେତ୍ରରେ ସମସ୍ତ ପ୍ରକାର ସହଯୋଗ ପାଇଁ ବଦ୍ଧ ପରିକର। ଆମର ଯେହେତୁ ନିଜସ୍ବ ଲିଗ୍‌ (ଆଇପିଏଲ) ରହିଛି। ଏସିବି ଭାରତରେ ଏହାର ଲିଗ୍‌ ଆୟୋଜନ ପାଇଁ ଅନୁରୋଧ କରିବା ଯଥାର୍ଥ ନୁହେଁ। ମୁମ୍ବାଇଠାରେ ଏସିବି ଅଫିସିଆଲମାନେ ବିସିସିଆଇ ସିଇଓ ରାହୁଲ ଜୋହରି ଏବଂ ଜିଏମ୍‌ କ୍ରିକେଟ ଅପରେଶନ୍ସ ସବା କରିମ୍‌ଙ୍କୁ ସେମାନଙ୍କ ଅନୁରୋଧ ଜଣାଇଥିଲେ। ଏସିବି ସିଇଓ ଆହୁରି ମଧ୍ୟ ଅସାଦୁଲ୍ଲା ଖାଁ ଡେରାଡୁନ୍‌ ଏବଂ ଗ୍ରେଟର ନଏଡା ପରେ ତୃତୀୟ ହୋମ୍‌ ଗ୍ରାଉଣ୍ଡ ପାଇଁ ନିବେଦନ କରିଥିଲେ। ବିସିସିଆଇ କହିଥିଲା ଏଥିରେ କୌଣସି ସମସ୍ୟା ନାହିଁ। ଭାରତରେ ଲକ୍ଷ୍ନୌକୁ ସେମାନେ ତୃତୀୟ ହୋମ୍‌ ଗ୍ରାଉଣ୍ଡ ରୂପେ ବ୍ୟବହାର କରିପାରିବେ। ଡେରାଡୁନ୍‌ରେ ୫ ତାରକା ବିଶିଷ୍ଟ ହୋଟେଲ ସୁବିଧା ନ ଥିବାରୁ ବିଦେଶ ଟିମ୍‌କୁ ନେଇ ମ୍ୟାଚ ଆୟୋଜନ କରିବା ଏକ ସମସ୍ୟା ଥିଲା। ଆଫଗାନିସ୍ତାନ ପ୍ରିମିୟର ଲିଗ୍‌ (ଏପିଏଲ୍‌)ର ଉଦ୍‌ଘାଟନୀ ସଂସ୍କରଣ ୨୦୧୮ ଅକ୍ଟୋବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ହୋଇଥିଲା। ପ୍ରତିଯୋଗିତାରେ ୫ଟି ଦଳ ଅଂଶଗ୍ରହଣ କରିଥିଲେ। ମହମ୍ମଦ ନବିଙ୍କ ନେତୃତ୍ୱାଧୀନ ବାଲଖ ଲିଜେଣ୍ଡ ଦଳ ଚାମ୍ପିୟନ ହୋଇଥିଲା। ଏହି ଟୁର୍ନାମେଣ୍ଟରେ କ୍ରିସ୍‌ ଗେଲ୍‌, ବ୍ରେଣ୍ଡନ ମ୍ୟାକ୍‌କୁଲମ, ବେନ୍‌ କଟିଙ୍ଗ, ଶାହିଦ ଆଫ୍ରିଦୀ, କଲିନ୍‌ ଇନ୍‌ଗ୍ରାମ ଏବଂ କଲିନ୍‌ ମୁନ୍‌ରୋଙ୍କ ଭଳି ଜଣାଶୁଣା ବିଦେଶୀ ଖେଳାଳି ଅଂଶଗ୍ରହଣ କରିଥିଲେ। ଆଫଗାନିସ୍ତାନର ବିସ୍ପୋରକ ଓପନର ମହମ୍ମଦ ଶାହଜାଦ ୯ଟି ମ୍ୟାଚରେ ପ୍ରତିଯୋଗିତାରେ ସବୁଠାରୁ ଅଧିକ ୩୪୪ ରନ ସଂଗ୍ରହ କରିଥିଲେ। ସେହିପରି ଶ୍ରୀଲଙ୍କା ପେସ୍‌ ବୋଲର ଇସୁରୁ ଉଡାନା ସର୍ବାଧିକ ଉଇକେଟ ହାସଲକାରୀ ବୋଲର ବିବେଚିତ ହୋଇଥିଲେ। ସେ ୮ଟି ଗେମ୍‌ରୁ ୧୭ ଉଇକେଟ ଅକ୍ତିଆର କରିଥିଲେ। ବିସିସିଆଇ ଏସିବିର ଅନ୍ୟ ଏକ ଅନୁରୋଧକୁ ରକ୍ଷା କରିଛି। ତାହା ହେଲା ଭାରତର ଘରୋଇ ସିଜନ ବେଳେ ଆଫଗାନିସ୍ତାନର ୧୦ଜଣ କୋଚ୍‌ ଅଗ୍ରଣୀ ରଣ୍‌ଜୀ ଟ୍ରଫି ଦଳର ସହଯୋଗୀ ଷ୍ଟାଫ୍‌ ହିସାରେ କାର୍ଯ୍ୟ କରିବେ। ଏହା ଦ୍ୱାରା ଆମ କୋଚ୍‌ମାନେ ଅଭିଜ୍ଞତା ହାସଲ କରିବେ ବୋଲି ଖାଁ କହିଛନ୍ତି।

Share