ଏପ୍ରିଲରୁ ସବୁ ଯୋଜନା ପାଇଁ ଡିବିଟି

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ଏଣିକି ସବୁ ଯୋଜନାରେ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ସିଧା ସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦେବେ। ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ଏହି ପେମେଣ୍ଟ ଦିଆଯିବ। ଇଣ୍ଟିଗ୍ରେଟେଡ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଏଫ୍‌ଏମ୍‌ଏସ୍‌) ଏବଂ ଇ-କୁବେର ଜରିଆରେ ଏହାକୁ କାର୍ଯ୍ୟକାରୀ କରାଯିବ। ଆଇଏଫ୍‌ଏମ୍‌ଏସ୍‌ ଏକ ଆଇଟି ବଜେଟ ଓ ଆକାଉଣ୍ଟିଂ ବ୍ୟବସ୍ଥା। ଏହାଦ୍ୱାରା ସହଜରେ ବିଭିନ୍ନ ଯୋଜନାକୁ ଟଙ୍କା ପଇଠ କରିହେବ। ଆସନ୍ତା ୨୦୨୦ ଏପ୍ରିଲରୁ ଏହି ବ୍ୟବସ୍ଥାକୁ ଲାଗୁ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଧାନ ବିକ୍ରି ଟଙ୍କା ଚାଷୀମାନଙ୍କୁ ଅନଲାଇନ ପ୍ରଦାନ କରାଯାଉଛି। ଏଥିପାଇଁ ହିତାଧିକାରୀଙ୍କୁ ବ୍ୟାଙ୍କ ସହ ଆଧାର ଲିଙ୍କ କରିବାକୁ ପଡ଼ିବ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ହିତାଧିକାରୀମାନଙ୍କର ବ୍ୟାଙ୍କର ସମସ୍ତ ସୂଚନା ଦେବା ଆବଶ୍ୟକ। ଡିବିଟି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ସମସ୍ତ ଯୋଜନାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ଅନୁରୋଧ କରିଥିଲେ। ବ୍ୟାଙ୍କର ସମ୍ପୂର୍ଣ୍ଣ ବିବରଣୀ ଦେବା ସହ ଆଧାର ଲିଙ୍କ୍‌ କରାଯାଇ ଇ-କୁବେର ମାଧ୍ୟମରେ ଟଙ୍କା ପ୍ରଦାନ କରାଯିବ। ଦେଶର ଅଧିକାଂଶ ରାଜ୍ୟ ଇ-କୁବେର ବ୍ୟବସ୍ଥାକୁ ଆପଣାଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବାକୁ ବ୍ୟାଙ୍କର ଆବଶ୍ୟକତା ରହିଛି। ତେବେ ରାଜ୍ୟର ୭୦ ପ୍ରତିଶତ ପଞ୍ଚାୟତରେ ବ୍ୟାଙ୍କ ଶାଖା ନାହିଁ। ବ୍ୟାଙ୍କ ସାଥୀମାନେ ସେବା ଠିକ୍‌ ଭାବେ ଦେବାରେ ସମର୍ଥ ହୋଇ ପାରୁନାହାନ୍ତି। ଯଦି ବ୍ୟାଙ୍କ ଶାଖା ନ ରହିବ ତେବେ ଡିଜିଟାଲ ପେମେଣ୍ଟ ମଧ୍ୟ ସମ୍ଭବ ହେବ ନାହିଁ। ସେଥିପାଇଁ ରାଜ୍ୟ ସରକାର ବ୍ୟାଙ୍କ ନ ଥିବା ପଞ୍ଚାୟତଗୁଡ଼ିକରେ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ବ୍ୟାଙ୍କଗୁଡିକର ଶାଖା ଖୋଲିବାକୁ ଅନୁମତି ଦେଇଛନ୍ତି। ବ୍ୟାଙ୍କଗୁଡିକ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ବ୍ୟାଙ୍କ ସାଥୀ ଭାବେ ଗ୍ରହଣ କରିବାକୁ କୁହାଯାଇଛି ବୋଲି ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ଆରବିଆଇ ଗଭର୍ନର ଶଶୀକାନ୍ତ ଦାଶଙ୍କୁ ରାଜ୍ୟରେ ଅଧିକ ବ୍ୟାଙ୍କ ଶାଖା ଖୋଲିବାକୁ ପ୍ରସ୍ତାବ ଦେଇଥିଲେ।

Share