Categories: ଜାତୀୟ

ଏପ୍ରିଲରେ ରାହୁଲଙ୍କ ଦ୍ୱିତୀୟ ଇନିଂସ: ପୁଣି ହେବେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୧।୨(ଆଇଏଏନ୍‌ଏସ୍‌):କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ଦଳର ମଙ୍ଗ ଧରିବେ। ଆସନ୍ତା ଏପ୍ରିଲରେ ସେ କଂଗ୍ରେସ ଅଧ୍ୟକ୍ଷ ପଦକୁ ଫେରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ବଜେଟ ଅଧିବେଶନ ଶେଷ ହେବା ପରେ ଅମଳର ପର୍ବ ବୈଶାଖୀ ବେଳକୁ ତାଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯିବ। ଏଥିସକାଶେ କଂଗ୍ରେସ ପକ୍ଷରୁ ଏକ ବିସ୍ତୃତ ବୈଠକ ଡକାଯିବ ବୋଲି କୁହାଯାଉଛି।
କଂଗ୍ରେସର ବିଭିନ୍ନ ମହଲରୁ ଦାବି ହେବା ପରେ ୨୦୧୭ରେ ରାହୁଲ ଗାନ୍ଧୀ ନିର୍ଦ୍ୱନ୍ଦ୍ୱରେ ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ମାତ୍ର ୫୦ ଆସନରେ ବିଜୟୀ ହୋଇଥିଲା। ଏପରି କି ବିରୋଧୀ ଦଳର ମାନ୍ୟତା ମଧ୍ୟ ହାସଲ କରିପାରି ନ ଥିଲା। ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ ରାହୁଲ ନିଜକୁ ଦାୟୀ କରି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଦଳର ବରିଷ୍ଠ ନେତାମାନେ ଯେତେ ଅନୁରୋଧ କରିଥିଲେ ବି ସେ ଇସ୍ତଫାପତ୍ର ପ୍ରତ୍ୟାହାର କରି ନ ଥିଲେ। ଫଳରେ ଗତ ଅଗଷ୍ଟରେ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ରାହୁଲଙ୍କ ମା’ ତଥା ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ କରାଯାଇଥିଲା। ସୋନିଆଙ୍କ ସ୍ବାସ୍ଥ୍ୟ ଭଲ ରହୁ ନ ଥିବାରୁ ରାହୁଲଙ୍କୁ ପୁଣିଥରେ ଏହି ଦାୟିତ୍ୱ ଦେବା ପାଇଁ କଂଗ୍ରେସର ବରିଷ୍ଠ ନେତାମାନେ ବିଚାର କରୁଛନ୍ତି।

Share