ଏପ୍ରିଲ୍‌ ୫ରୁ ଆର୍ମି ନିଯୁକ୍ତି ମେଳା

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଏପ୍ରିଲ ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍‌ଠାରେ ବିଶାଳ ଆର୍ମି ନିଯୁକ୍ତି ମେଳା ଆୟୋଜିତ ହେବ। ଏଥିରେ ମୋଟ ୧୦ ଜିଲା ଯଥା କଟକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋର୍ଦ୍ଧା, ନୟାଗଡ଼, ବାଲେଶ୍ୱର, ଯାଜପୁର, ପୁରୀ ଓ ଭଦ୍ରକ ଜିଲାର ଇଚ୍ଛୁକ ପ୍ରାର୍ଥୀମାନେ ଅଂଶଗ୍ରହଣ କରିପାରିବେ। ସୂଚନାଯୋଗ୍ୟ, ଇଣ୍ଡିଆନ୍‌ ଆର୍ମି ପକ୍ଷରୁ ୨୦୧୫ ଅକ୍ଟୋବର ୧ଠାରୁ ଉନ୍ମୁକ୍ତ ନିଯୁକ୍ତି ମେଳା ବ୍ୟବସ୍ଥା ପରିବର୍ତ୍ତିତ ହୋଇ ଅନ୍‌ଲାଇନ ପଞ୍ଜୀକରଣ ଓ ଆବେଦନପତ୍ର ଦାଖଲ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ସେଥିପାଇଁ ଏହି ନିଯୁକ୍ତି ମେଳାରେ ଭାଗନେବାକୁ ହେଲେ ପ୍ରାର୍ଥୀମାନେ www.joinindianarmy.nic.in ଓ୍ବେବ୍‌ସାଇଟରେ ନିଜର ନାମ ପଞ୍ଜୀକୃତ କରିପାରିବେ। ଫେବୃୟାରୀ ୮ରୁ ମାର୍ଚ୍ଚ ୨୩ ମଧ୍ୟରେ ପଞ୍ଜୀକରଣ ପ୍ରକ୍ରିୟା ଚାଲୁ ରହିବ। ନିଯୁକ୍ତି ମେଳାରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ବଚ୍ଛ ହେବ। ସମସ୍ତ ପ୍ରକ୍ରିୟା ସ୍ବୟଂସମ୍ପନ୍ନ ହେବ। ଶାରୀରିକ, ଲିଖିତ ଓ ମେଡିକାଲ ପରୀକ୍ଷାରେ କୌଣସି ମଧ୍ୟସ୍ଥ ସହାୟତା କରିପାରିବେ ନାହିଁ। ତେଣୁ ଦଲାଲ୍‌ କିମ୍ବା ମଧ୍ୟସ୍ଥଙ୍କ ପ୍ରଲୋଭନରେ ନ ପଡ଼ିବା ପାଇଁ ନିଯୁକ୍ତି ନିର୍ଦ୍ଦେଶକ କଲୋନେଲ ଆଶିଷ ମୋହନ ତ୍ରିଖା ସୂଚନା ଦେଇଛନ୍ତି। ଅଧିକରୁ ଅଧିକ ଓଡ଼ିଆ ପିଲାମାନେ ଆର୍ମିରେ ନିଯୁକ୍ତି ପାଇବା ଏହି ବିଶାଳ ନିଯୁକ୍ତି ମେଳାର ଉଦ୍ଦେଶ୍ୟ ବୋଲି କଲୋନେଲ କହିଛନ୍ତି।

Share