ନୂଆଦିଲ୍ଲୀ,୧୦ା୮: ଆସନ୍ତା ବର୍ଷ ଏପ୍ରିଲ ପରେ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କାରଣ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ବିଧାନସଭା କ୍ଷେତ୍ରର ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବାକୁ ସମୟ ଲାଗିବ। ଏହା ପରେ ଉପତ୍ୟକାରେ ପ୍ରଚଣ୍ଡ ଶୀତ ଲହରି ଅନୁଭୂତ ହେବାକୁ ଥିବାରୁ ଏହା ପରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ ବୋଲି ଏକ ସୂତ୍ରରୁ ଜଣାପଡିଛି। ବର୍ତ୍ତମାନ ସେଠାରେ ଚାଲିଥିବା ରାଷ୍ଟ୍ରପତି ଶାସନ କାର୍ଯ୍ୟକାଳ ଜାନୁୟାରୀ ୩ରେ ଶେଷ ହେଉଥିବାରୁ ପାର୍ଲାମେଣ୍ଟର ଶୀତ ଅଧିବେଶନରେ ମିଆଦ ଆଉ ୬ ମାସ ବଢ଼ାଇବାକୁ ପଡିବ। ଜମ୍ମୁ-କଶ୍ମୀର ବିଧାନସଭା ଆସନ ସଂଖ୍ୟା ୧୦୭ରୁ ୧୧୪କୁ ବୃଦ୍ଧି ପାଇଥିବାରୁ ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ହେବ। ଏଥିପାଇଁ ୩ରୁ ୪ ମାସ ସମୟ ଲାଗିବ। ସେତେବେଳକୁ ଉପତ୍ୟକାରେ ଅତ୍ୟଧିକ ଶୀତ ପଡିଥିବାରୁ ନିର୍ବାଚନ କରିବା ସମ୍ଭବ ନୁହେଁ ବୋଲି ଏହି ସୂତ୍ରରୁ ଜଣାପଡିଛି।