ଏପ୍ରିଲ ଶେଷ ସୁଦ୍ଧା ଡାକ୍ତରଙ୍କ ପଦୋନ୍ନତି

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ଡାକ୍ତରଙ୍କ ପାଇଁ ଖୁସି ଖବର। ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ଡାକ୍ତରଙ୍କ ପଦୋନ୍ନତି ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିନିମନ୍ତେ ଡାଇନାମିକ୍‌ ଆସ୍ୟୁୟର୍ଡ କ୍ୟାରିୟର ପ୍ରୋଗ୍ରେଶନ (ଡିଏସିପି) ଲାଗୁ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଶା ମେଡିକାଲ ଓ ସ୍ବାସ୍ଥ୍ୟ ସେବା କ୍ୟାଡରର ମେଡିକାଲ ଅଫିସରଙ୍କ ପାଇଁ ଡିଏସିପିକୁ ତତ୍କାଳ ଲାଗୁ କରାଯିବ। କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ରୋକିବା ଓ ଏହାର ପରିଚାଳନା ଦିଗରେ ଓଡ଼ିଶା ମେଡିକାଲ ଓ ସ୍ବାସ୍ଥ୍ୟ ସେବା କ୍ୟାଡରର ମେଡିକାଲ ଅଫିସରମାନେ ଏବେ ପ୍ରମୁଖ ଭୂମିକା ତୁଲାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡିଏସିପି ଯୋଜନା ଅନ୍ତର୍ଗତ ସେମାନଙ୍କ ପଦୋନ୍ନତିକୁ ତ୍ୱରାନ୍ବିତ କରିବା ନିମନ୍ତେ ନିୟମରେ ଗୋଟିଏଥର କୋହଳ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଡିଏସିପି ପାଇଁ ଡାକ୍ତରମାନେ ବର୍ଷବର୍ଷ ଧରି ଦାବି କରି ଆସୁଥିଲେ। ସାଧାରଣ ନିର୍ବାଚନର ୪ମାସ ପୂର୍ବରୁ ଡାକ୍ତରଙ୍କ ଡିଏସିପି ଦାବିକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିଲେ। କିନ୍ତୁ ପରଫର୍‌ମାନ୍ସ ଆପ୍ରାଇଜାଲ ରିପୋର୍ଟ(ପିଏଆର) ଆବଶ୍ୟକ ଥିବାରୁ ଡାକ୍ତରମାନେ ପଦୋନ୍ନତି ପାଇପାରୁ ନ ଥିଲେ। ତେବେ ବର୍ତ୍ତମାନ ଜରୁରୀ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହି ପିଏଆରକୁ ଗୋଟିଏଥର ପାଇଁ କୋହଳ କରିଛନ୍ତି। ଏହି ସମସ୍ତ ପ୍ରକ୍ରିୟା ଏପ୍ରିଲ ୩୦ ତାରିଖ ସୁଦ୍ଧା ଶେଷ କରିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ଆଗୁଆ ୪ମାସର ଦରମା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Share