Categories: ମେଟ୍ରୋ

ଏପ୍ରିଲ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ ହାଇକୋର୍ଟ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ସାରା ବିଶ୍ୱରେ ମହାମାରୀ କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବଢ଼ୁଥିବା ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ। ରାଜ୍ୟରେ ମଧ୍ୟ କଂରୋନା ସଂକ୍ରମଣର ଭୟ ବଢ଼ୁଥିବା ଦେଖି ଲକଡାଉନ ପରିସ୍ଥିତିକୁ ସମର୍ଥନ ଜଣାଇ ଓଡ଼ିଶା ହାଇକୋର୍ଟ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସମେତ କୋର୍ଟ ବନ୍ଦ କରିଛି। ଏ ନେଇ ହାଇକୋର୍ଟ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, କୋଭିଡ-୧୯ଙ୍କୁ ନେଇ ଲୋକଙ୍କ ମନରେ ଭୟ ବଢ଼ିବାରେ ଲାଗିଛି। ଦିନକୁ ଦିନ ଏହାର ରୂପ ବୃଦ୍ଧି ପାଇ ଲୋକଙ୍କ ଜୀବନ ନେଉଥିବାବେଳେ ଏହାର ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ଲକଡାଉନ ନିଷ୍ପତ୍ତି ଏବଂ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ମାର୍ଚ୍ଚ ୨୬ ଠାରୁ ଏପ୍ରିଲ ୧୫ତାରିଖ ପର୍ଯ୍ୟନ୍ତ କୋର୍ଟର ସମସ୍ତ କାର୍ଯ୍ୟଗୁଡ଼ିକୁ ଏବଂ ସମ୍ପୂର୍ଣ୍ଣ କୋର୍ଟକୁ ବନ୍ଦ କରି ଦିଆଯାଇଛି। ଏଭଳି ପରିସ୍ଥିତିରେ ଯଦି କୌଣସି ଜରୁରୀ ମାମଲା ଆସେ, ତେବେ ଏହାର ଶୁଣାଣି କରାଯିବ। ଏଥିପାଇଁ ଉକ୍ତ ମାମଲାଗୁଡ଼ିକୁ ହାଇକୋର୍ଟ ଅଫିସ ମେଲ ଆଇଡି drj.od-hc@gov.in ଯୋଗେ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଡେପୁଟି ରେଜିଷ୍ଟ୍ରାର(ଜୁଡିସିଆଲ)ଙ୍କ ନିକଟରେ ଦାଖଲ କରିପାରିବେ।

Share