ଏପ୍ରିଲ ୧୫ ଯାଏ ମା’ ବିରଜାଙ୍କ ସାଧାରଣ ଦର୍ଶନ ବନ୍ଦ

ଯାଜପୁର ଅଫିସ୍‌,୧୮।୩: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ବୁଧବାରଠାରୁ ଏପ୍ରିଲ ୧୫ ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ। ମାତ୍ର ମା’ଙ୍କ ନୀତିକାନ୍ତିରେ କୌଣସି ପରିବର୍ତ୍ତନ ହେବନାହିଁ। ନିଜ ନିଜ ପାଳିରେ ସେବାୟତମାନେ ମା’ଙ୍କ ପୂଜା କରିବେ। ଏ ନେଇ ବୁଧବାର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ମନ୍ଦିର ସେବାୟତଙ୍କୁ ଡକାଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଘୋଷଣା କରିଛନ୍ତି।
ସେହିପରି ଜିଲାରେ ୧୪୪ ଧାରା ବଳବତ୍ତର ରହିଛି। ୨୧ ତାରିଖରେ ହେବାକୁ ଥିବା ବାରୁଣୀ ମେଳା ଓ ବୁଡ଼ସ୍ଥାନ ଏବଂ ଏହାର ଆଖପାଖ ଅଞ୍ଚଳରେ ୧୪୪ ଧାରାକୁ କଡ଼ାକଡ଼ି କରାଯାଇଛି। ତେଣୁ ମା’ ବିରଜା ମନ୍ଦିରକୁ ନ ଯିବାକୁ ଶ୍ରଦ୍ଧାଳୁମାନଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ବାରୁଣୀ ବୁଡ଼କୁ ନ ଆସିବା ଲାଗି ଅନୁରୋଧ କରାଯାଇଛି।

Share