ଏପ୍ରିଲ ୨୦ ପରେ କୋହଳ ହୋଇପାରେ ଲକ୍‌ଡାଉନ ନିୟମ

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଲକ୍‌ଡାଉନ ଅବଧି ବୃଦ୍ଧି କରିଛନ୍ତି। ପୂର୍ବରୁ ପାଳନ କରାଯାଇଥିବା ୨୧ ଦିନିଆ ଲକ୍‌ଡାଉନର ସମୟ ମଙ୍ଗଳବାର ଶେଷ ହୋଇଥିବା ବେଳେ ମୋଦି ଏହାକୁ ପୁଣିଥରେ ମେ’୩କୁ ବୃଦ୍ଧି କରିଛନ୍ତି। ଲକ୍‌ଡାଉନ୍‌ ୨.୦ର ଘୋଷଣା ସମୟରେ ମୋଦି କହିଛନ୍ତି, ଦେଶର ଅର୍ଥନୀତି ଅପେକ୍ଷା ଦେଶବାସୀଙ୍କ ଜୀବନ ଆମପାଇଁ ମୂଲ୍ୟବାନ। ତେଣୁ କରୋନା ସଂକ୍ରମଣ ରୋକିବାକୁ ହେଲେ ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ ବୃଦ୍ଧି କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ଅବଶ୍ୟ ଏହା ପୂର୍ବରୁ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଲକ୍‌ଡାଉନ ଅବଧି ବୃଦ୍ଧି କରିବାକୁ ମୋଦିଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏପ୍ରିଲ ୨୦ ପରେ କେତେକ ସ୍ଥାନରେ ଲକ୍‌ଡାଉନ କଟକଣାରେ କୋହଳ କରାଯାଇପାରେ ବୋଲି ମୋଦି କହିଛନ୍ତି। ଏଥିପାଇଁ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି ଯେଉଁସ୍ଥାନ ହଟସ୍ପଟରେ ଆସୁ ନ ଥିବ ସେସବୁ ସ୍ଥାନରେ ଲକ୍‌ଡାଉନ ନିୟମରେ କୋହଳ କରାଯାଇପାରେ। କିନ୍ତୁ ନିୟମ ପାଳନ ନ କଲେ ପୁଣି ପୂର୍ବପରି ଲକ୍‌ଡାଉନ ନିୟମ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।

Share