ଏପ୍ରିଲ ୩୦ଯାଏ ନଏଡାରେ ୧୪୪ ଧାରା ଜାରି: ସ୍କୁଲ ଫି’ ଦେୟ ଉପରେ ରୋକୋ ଲଗାଇଲେ ଜିଲାପାଳ

ନଏଡା,୫।୪: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ସହ ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ଗୌତମବୁଦ୍ଧ ନଗରର ଜିଲା ପ୍ରଶାସନ ପକ୍ଷରୁ ରବିବାର ବଡ଼ ନିଷ୍ପତ୍ତି ନିଆଯାଇଛି। ଏଠାରେ ଜାରି କରାଯାଇଥିବା ୧୪୪ ଧାରାକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। କୋଭିଡ-୧୯କୁ ରୋକିବା ପାଇଁ ପୂର୍ବରୁ ଏପ୍ରିଲ ୫ପର୍ଯ୍ୟନ୍ତ ଗୌତମବୁଦ୍ଧ ନଗରରେ ଧାରା ୧୪୪ ଲାଗୁ କରାଯାଇଥିଲା। କିନ୍ତୁ ରାଜ୍ୟରେ କରୋନା ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହାକୁ ବୃଦ୍ଧି କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅପରପକ୍ଷେ ଗୌତମବୁଦ୍ଧ ନଗରର ଜିଲାପାଳ ସୁହାସ ଏଲ୍‌ଓ୍ବାଇ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। କରୋନା ଯୋଗୁ ସହରର ସମସ୍ତ ସ୍କୁଲ ବନ୍ଦ ରହିଛି। ଏହି ସମୟରେ କୌଣସି ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କଠାରୁ ଫି’ ମାଗିପାରିବେ ନାହିଁ ବୋଲି ଜିଲାପାଳ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯଦି କେହି ଏହାର ଖିଲାପ କରନ୍ତି, ତେବେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

Share