ଏପ୍ରିଲ ୮ରୁ ଓଡ଼ିଶା ଅଳଙ୍କାର ପ୍ରଦର୍ଶନୀ

ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ଓଡ଼ିଶା ଜୁଏଲରୀ ଆସୋସିଏଶନ୍‌ (ଓଜେଏ) ଓ କେଏନ୍‌ସି ସର୍ଭିସ୍‌ର ମିଳିତ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଓଡ଼ିଶା ଅଳଙ୍କାର ପ୍ରଦର୍ଶନୀ ଆୟୋଜିତ ହେବ। ଏପ୍ରିଲ ୮ ଓ ୯ରେ ଏହା ଭୁବନେଶ୍ୱରର ଏକ ହୋଟେଲରେ ଅନୁଷ୍ଠିତ ହେବ। ଦେଶର ସମସ୍ତ ଅଳଙ୍କାର ନିର୍ମାତା ଓ ରିଟେଲରମାନେ ନିଜର ଉତ୍କୃଷ୍ଟ କଳାକୃତି ପ୍ରଦର୍ଶନ କରିବେ। ଏ ନେଇ ଆୟୋଜକଙ୍କ ପକ୍ଷରୁ ଶୁକ୍ରବାର ପ୍ରେସ୍‌ କ୍ଲବ୍‌ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଓଜେଏ, କଟକ ସାଧାରଣ ସମ୍ପାଦକ ମହେଶ ବର୍ମା କହିଛନ୍ତି ଯେ, ଏହା ଓଡ଼ିଶା ଇତିହାସରେ ପ୍ରଥମ ଥର ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି, ଅଳଙ୍କାର ବେପାରୀଙ୍କ ସହ ରାଷ୍ଟ୍ରର ଅନ୍ୟ ରାଜ୍ୟରେ ବ୍ୟବସାୟିକ ସର୍ମ୍ପକ ବଢ଼ାଇବା ପାଇଁ ସୁଯୋଗ ଦିଆଯିବା। ଏହି କାର୍ଯ୍ୟକ୍ରମରେ ନିର୍ମାତା ଓ କ୍ଷୁଦ୍ର ବିକ୍ରେତା ବ୍ୟବସାୟ ଉପରେ ଆଲୋଚନା କରିପାରିବେ। ଭାରତର ୫୦ରୁ ଅଧିକ ପ୍ରସିଦ୍ଧ ଡିଜାଇନର ନିଜ ଅଳଙ୍କାର ପ୍ରଦର୍ଶନ କରିବେ। କେଏସି ସର୍ଭିସ୍‌ ପରିଚାଳନା ନିର୍ଦ୍ଦେଶିକା କ୍ରାନ୍ତି ନାଗଭେକର କହିଥିଲେ ଯେ, ଏହି ଅଳଙ୍କାର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଓଡ଼ିଶାର ପ୍ରଥମ ବିଟୁବି କାର୍ଯ୍ୟକ୍ରମ ଅଟେ। ଏହି କାର୍ଯ୍ୟକ୍ରମରେ ବଜାର ଓ ଉପଭୋକ୍ତାଙ୍କୁ ଅପରମ୍ପରାଗତ ଡିଜାଇନର ଓ ମୂଲ୍ୟ ମିଳିବ। ଅନ୍ୟମାନଙ୍କ ମଧ୍ୟରେ ଓଜେଏ ସଭାପତି ସଞ୍ଜୟ ସାହୁ, ସହସମ୍ପାଦକ ହିତେଶ ସେଠ, ଯୁଗ୍ମ ସଚିବ ସତ୍ୟଜିତ ମହାରଣା ପ୍ରମୁଖ ଉପସ୍ଥିତ ରହି ପ୍ରଦର୍ଶନୀ ବିଷୟରେ ସୂଚନା ଦେଇଥିଲେ।

Share