Categories: ଖେଳ

ଏଫଆଇଏଚ ହକି ପ୍ରୋ ଲିଗ୍‌: ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ, ୧୯।୨- ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତର ଆଗାମୀ ପ୍ରତିଦ୍ୱନ୍ଦ୍ୱୀ ହେଉଛି ବିଶ୍ୱର ୨ ନମ୍ବର ଦଳ ଅଷ୍ଟ୍ରେଲିଆ। ଚଳିତ ମାସ ୨୧ ଓ ୨୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ୨୪ ଜଣିଆ ଭାରତୀୟ ଦଳ ସୋମବାର ଘୋଷିତ ହୋଇଛି। ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲା ପାଇଁ ପୂର୍ବପରି ମନପ୍ରୀତ ସିଂ ଅଧିନାୟକ ରହିଥିବାବେଳେ ହରମନପ୍ରୀତ ସିଂଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆ ଯାଇଛି। ଓଡ଼ିଶାର ଦୁଇ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଏଥର ମଧ୍ୟ ସୁଯୋଗ ମିଳିଛି।
ନିକଟରେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୪ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଥିବା ଭାରତ ଗତ ବେଲଜିୟମ ବିପକ୍ଷ ପ୍ରଥମ ମ୍ୟାଚକୁ ୨-୧ ଗୋଲରେ ଜିତିଥିବାବେଳେ ଦ୍ୱିତୀୟ ମ୍ୟାଚରେ ୨-୩ ଗୋଲରେ ପରାଜିତ ହୋଇଥିଲା। ବେଲଜିୟମ ବିପକ୍ଷ ମ୍ୟାଚ ଖେଳିଥିବା ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଗତଥରର ପ୍ରୋ ଲିଗ୍‌ ଚାମ୍ପିୟନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ ଏହାର ପ୍ରସ୍ତୁତିକୁ ଜୋରଦାର କରିଛି। ”ଆମେ ବିଶ୍ୱଚାମ୍ପିୟନ ବେଲଜିୟମ ବିପକ୍ଷରେ ୨ଟି ମ୍ୟାଚ ଖେଳିସାରିବାପରେ ଆଉ ଏକ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛୁ। ଦକ୍ଷ ଖେଳାଳିଙ୍କୁ ନେଇ ଆମ ଦଳ ସମୃଦ୍ଧ। ଫଳରେ ପଡ଼ିଆରେ ଆମେ ଉତ୍ତମ ସନ୍ତୁଳନ ବଜାୟ ରଖିବାରେ ସକ୍ଷମ ହେଉଛୁ ଏବଂ ବିଶ୍ୱର ବଡ଼ ଦଳ ଗୁଡ଼ିକୁ ଟକ୍କର ଦେବାରେ ସକ୍ଷମ ହେଉଛୁ“ ବୋଲି ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ ପ୍ରକାଶ କରିଛନ୍ତି।
ଭାରତୀୟ ଦଳ: ପି.ଆର. ଶ୍ରୀଜେଶ, କ୍ରିଷ୍ଣନ ପାଠକ, ଅମିତ ରୋହିଦାସ, ସୁରେନ୍ଦର କୁମାର, ବୀରେନ୍ଦ୍ର ଲାକ୍ରା, ହରମନପ୍ରୀତ ସିଂ(ଉପଅଧିନାୟକ), ବରୁଣ କୁମାର, ଗୁରିନ୍ଦର ସିଂ, ରୂପିନ୍ଦରପାଲ ସିଂ, ମନପ୍ରୀତ ସିଂ(ଅଧିନାୟକ), ବିବେକ ସାଗର ପ୍ରସାଦ, ହାର୍ଦ୍ଦିକ ସିଂ, ଚିଙ୍ଗଲେନସାନା ସିଂ, ରାଜ କୁମାର ପାଲ, ଆକାଶଦୀପ ସିଂ, ସୁମିତ, ଲଳିତ ଉପାଧ୍ୟାୟ, ଗୁରସାହିବଜିତ ସିଂ, ଦିଲପ୍ରୀତ ସିଂ, ଏସ.ଭି. ସୁନୀଲ, ଜରମନପ୍ରୀତ ସିଂ, ସିମରନଜିତ ସିଂ, ନୀଳକାନ୍ତ ଶର୍ମା, ରମଣଦୀପ ସିଂ।

Share