ଏଫଏମ୍‌ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ମିଳନୀ: ସାମିଲ୍‌ ହେଲେ ୭ ଦେଶର ପ୍ରତିନିଧି

ବାଲେଶ୍ୱର ଅଫିସ, ୧୪।୨-ବାଲେଶ୍ୱର ଫକୀରମୋହନ(ଏଫଏମ୍‌) ବିଶ୍ୱବିଦ୍ୟାଳୟରେ ସମାଜ ବିଜ୍ଞାନ ବିଭାଗ, ଭାରତୀୟ ସାମାଜିକ ବିଜ୍ଞାନ ଅନୁସନ୍ଧାନ ପରିଷଦ ଏବଂ ବିଶ୍ୱ ସମ୍ବନ୍ଧୀୟ ଭାରତୀୟ ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ‘ନୂତନ ଭାରତ; ଆଞ୍ଚଳିକ ପ୍ରଯୁଜ୍ୟତା ଏବଂ ବିଶ୍ୱସ୍ତରୀୟ ଆକାଂକ୍ଷା’ ଶୀର୍ଷକ ଦୁଇ ଦିବସୀୟ ସମ୍ମିଳନୀ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ନେଦରଲାଣ୍ଡସ, ଅଷ୍ଟ୍ରେଲିଆ, ଆଫ୍ରିକା, ହଙ୍ଗେରୀ, କିଗର୍ର୍ିସ୍ଥାନ, ଆଫଗାନିସ୍ତାନ ଏବଂ ଭାରତର ପ୍ରତିନିଧିମାନେ ଯୋଗଦେଇଛନ୍ତି। ଓଡ଼ିଶା ସଂସ୍କୃତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟନ କରି ଭାରତର ଅର୍ଥନୀତିକୁ ବିଶ୍ୱସ୍ତରୀୟ ଅର୍ଥନୀତିରେ କିଭଳି ରୂପାନ୍ତରିତ କରାଯାଇପାରିବ ସେନେଇ ବକ୍ତବ୍ୟ ଦେଇଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଏକ କାର୍ଯ୍ୟସୂଚୀ ପୁସ୍ତକ ଉନ୍ମୋଚନ କରାଯାଇଥିଲା।
ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ମୁଖ୍ୟବକ୍ତା ପ୍ରଫେସର ଅଶ୍ୱିନୀ ମହାପାତ୍ର ୟୁରୋପିଆନ ବିଶ୍ୱବିଦ୍ୟାଳୟ, ନେଦରଲାଣ୍ଡସର ନିମନ୍ତ୍ରିତ ଅତିଥି ପ୍ରଫେସର ମୋହନ କୁମାର ଗୌତମ ନିଜ ବକ୍ତବ୍ୟରେ ବିଶ୍ୱବିଦ୍ୟାଳୟର ଏହି ଆୟୋଜନକୁ ପ୍ରଶଂସା କରିବା ସହ ଛାତ୍ରୀଛାତ୍ରମାନଙ୍କର ଉତ୍ସାହ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶ୍ୱବିଦ୍ୟାଳୟ କୁଳପତି ଡ. ମଧୁମିତା ଦାସ, ବିଭାଗର ମୁଖ୍ୟ ତଥା ସମ୍ମିଳନୀ ଆୟୋଜକ ଏବଂ ନିର୍ଦ୍ଦେଶକ ପ୍ରଫେସର ଡ. ସୁନୀଲ କୁମାର ପାଢ଼ୀ, ସମ୍ମିଳନୀର ସଂଯୋଜକ ସହ ପ୍ରାଧ୍ୟାପକ ଡ. ରାମକୃଷ୍ଣ ପ୍ରଧାନ ମଞ୍ଚାସୀନ ଥିଲେ। ଏହି ସମ୍ମିଳନୀକୁ ଉପଦେଷ୍ଟା କମିଟି ସଦସ୍ୟ ପ୍ରଫେସର ଡ. ଗୀତାଞ୍ଜଳି ଦାଶ, ପ୍ରଫେସର ଅନୀଲ କୁମାର ମହାପାତ୍ର ପରିଚାଳନା କରିଥିଲେ। ବିଭାଗର ଅଧ୍ୟାପକ ଡ. ସଚ୍ଚିଦାନନ୍ଦ ସା, ଡ. ସ୍ମୃତିଶିକ୍ତା ଥାପ୍ପା, ଡ. ଗୀତାଞ୍ଜଳି ପଣ୍ଡା, ଡ. ସିପ୍ରା ସାଗରିକା, ଡ. ସଞ୍ଜୀବ କୁମାର ମାଝି, ଡ. ପବିତ୍ର ମୋହନ ନାୟକ, ଡ. ରାଜଶ୍ରୀ ଦତ୍ତ ପମୁଖ ସହଯୋଗ କରିଥିଲେ। ଉକ୍ତ ସମ୍ମିଳନୀରେ ନେଦରଲାଣ୍ଡସ, ଅଷ୍ଟ୍ରେଲିଆ, ଆଫ୍ରିକା, ହଙ୍ଗେରୀ, କିଗର୍ର୍ିସ୍ଥାନ, ଆଫଗାନିସ୍ତାନ ଏବଂ ଭାରତର ଖ୍ୟାତନାମା ପ୍ରଫେସର ଡ. ସତୀଶ ରାୟ, ତାମସ୍‌ କୋଜମା, ଗୁଲଜାର କାରିବେକୋଭା, ଡ. ଦତ୍ତେଶ ପାରୁଲେକର, ପ୍ରଫେସର ନିରଞ୍ଜନ ବାରିକ, ପ୍ରଫେସର କୁମରବର ଦାସ, ପ୍ରଫେସର ଶ୍ୟାମସୁନ୍ଦର ଆଚାର୍ଯ୍ୟ, ଡ. ରୁଦ୍ର ପ୍ରସାଦ ପ୍ରଧାନ ନିଜର ନିବନ୍ଧ ଉପସ୍ଥାପନ କରିବେ। ସନ୍ଧ୍ୟାରେ ବିଭାଗୀୟ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।