Categories: ଜାତୀୟ

ଏଫିଲ ଟାଓ୍ବାରଠାରୁ ୧୭ ଗୁଣା ଅଧିକ ଲୁହା, ଷ୍ଟାଚ୍ୟୁ ଅଫ ଲିବର୍ଟିଠାରୁ ୬ ଗୁଣା କଂକ୍ରିଟ, ଖୁବ ମଜଭୁତ ଅଟଳ ସେତୁ

ନୂଆଦିଲ୍ଲୀ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମୁମ୍ବାଇରେ ଦେଶର ଦୀର୍ଘତମ ସେତୁ ‘ଅଟଳ ସେତୁ’ର ଉଦଘାଟନ କରିବାକୁ ଯାଉଛନ୍ତି। ମୁମ୍ବାଇ ଟ୍ରାନ୍ସ-ହାରବର୍‌ ଲିଙ୍କ (ଏମଟିଏଚଏଲ) ର ନାମ ‘ଅଟଳ ବିହାରୀ ବାଜପେୟୀ ସେଭରି-ନାଭା ଶେଭା ଅଟଳ ସେତୁ’ ରଖାଯାଇଛି। ଡିସେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦି ଏହି ସେତୁର ମୂଳଦୁଆ ପକାଇଥିଲେ।
ଅଟଳ ସେତୁ ପ୍ରାୟ ୨୧.୮ କିଲୋମିଟର ଲମ୍ବା ଛଅ ଲେନ ବିଶିଷ୍ଟ ସମୁଦ୍ର ସେତୁ। ଏହାର ଲମ୍ବ ସମୁଦ୍ରଠାରୁ ପ୍ରାୟ ସାଢେ ୧୬ କିଲୋମିଟର ଏବଂ ସ୍ଥଳଭାଗରେ ସାଢେ ୫ କିଲୋମିଟର। ଭାରତର ଦୀର୍ଘତମ ସମୁଦ୍ର ସେତୁ ନିର୍ମାଣ ପାଇଁ ୧୭,୮୪୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି।
ଅଟଳ ସେତୁ ଅର୍ଥାତ୍‌ ମୁମ୍ବାଇ ଟ୍ରାନ୍ସ ହାବର୍ର୍‌ ଲିଙ୍କ ମୁମ୍ବାଇର ସେଭରିରୁ ଆରମ୍ଭ ହୋଇ ରାୟଗଡ ଜିଲାର ଉରାନ ତାଲୁକା ଅନ୍ତର୍ଗତ ନାଭା ଶେଭାରେ ଶେଷ ହୋଇଛି। ଅଟଳ ସେତୁରେ କାର, ଟ୍ୟାକ୍ସି, ହାଲୁକା ମୋଟର ଯାନ, ମିନିବସ ଏବଂ ଟଉ-ଏକ୍ସଲ ବସ ପରି ଯାନଗୁଡିକର ଗତି ସୀମା ଘଣ୍ଟା ପ୍ରତି ୧୦୦ କିଲୋମିଟର ହେବ। ଅଟଳ ସେତୁ ସିଧାସଳଖ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ନାଭି ମୁମ୍ବାଇ ବିମାନବନ୍ଦରକୁ ସଂଯୋଗ କରିବ।
ଏହାଦ୍ୱାରା ମୁମ୍ବାଇରୁ ପୁଣେ, ଗୋଆ ଏବଂ ଦକ୍ଷିଣ ଭାରତ ଯାତ୍ରା ପାଇଁ ନିଆଯାଇଥିବା ସମୟ ମଧ୍ୟ ହ୍ରାସ ପାଇବ। ଏହା ମଧ୍ୟ ମୁମ୍ବାଇ ବନ୍ଦର ଏବଂ ଜବାହରଲାଲ ନେହେରୁ ବନ୍ଦର ମଧ୍ୟରେ ଯାତାୟାତରେ ଉନ୍ନତି ଆଣିବ।
ଦେଶର ସବୁଠୁ ବଡ ସେତୁ ହେବା ବ୍ୟତୀତ ଅଟଳ ସେତୁର ଅନ୍ୟାନ୍ୟ ବୈଶିଷ୍ଟ୍ୟ ଅଛି। ସବୁଠୁ ବଡ ବୈଶିଷ୍ଟ୍ୟ ହେଉଛି ଏଥିରେ ଏଫିଲ ଟାୱାର ଅପେକ୍ଷା ୧୭ଗୁଣ ଅଧିକ ଷ୍ଟିଲ ଲାଗିଛି ଏବଂ ଏଥିରେ କୋଲକାତାର ହାଓ୍ବାଡା ବ୍ରିଜ ତୁଳନାରେ ୪ଗୁଣ ଇସ୍ପାତ ଲାଗିଛି। ସେ କହିଛନ୍ତି ଯେ ଏଥିରେ ବ୍ୟବହୃତ କଂକ୍ରିଟ ଆମେରିକାର ଷ୍ଟାଚ୍ୟୁ ଅଫ ଲିବର୍ଟିଠାରୁ ୬ଗୁଣ ଅଧିକ।
ଅଟଳ ସେଟୁ ଏତେ ଶକ୍ତିଶାଳୀ ଯେ ଭୂକମ୍ପ, ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ଦ୍ୱାରା ଏହା ପ୍ରଭାବିତ ହେବ ନାହିଁ। ଇପୋକ୍ସି-ଷ୍ଟ୍ରାଣ୍ଡକୁ ନେଇ ଏକ ସ୍ବତନ୍ତ୍ର ପଦାର୍ଥରୁ ଏହା ନିର୍ମିତ, ଯାହା ଆଣବିକ ରିଆକ୍ଟର ନିର୍ମାଣରେ ବ୍ୟବହୃତ ହୁଏ ।

Share