Posted inଖେଳ

ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ବାଲିଫାୟର୍ସ: ରୁଷିଆକୁ ୪-୨ରେ ହରାଇଲା ଭାରତ

ଭୁବନେଶ୍ୱର, ୨।୧୧(କ୍ରୀଡ଼ା ପ୍ରତିନିଧି)- ମନଦୀପ ସିଂଙ୍କ ଡବଲ ଗୋଲ ବଳରେ ଭାରତୀୟ ପୁରୁଷ ଦଳ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ବାଲିଫାୟର୍ସ ହକି ମ୍ୟାଚରେ ରୁଷିଆକୁ ୪-୨ ଗୋଲରେ ପରାସ୍ତ କରିଛି। ଫଳରେ ଭାରତ ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଦିିଗରେ ଏକପାଦ ଅଗ୍ରସର ହୋଇଛି। ଶନିବାର ହେବାକୁଥିବା ଦ୍ୱିତୀୟ ମ୍ୟାଚରେ ଭାରତ ବିଜୟୀ ହେଲେ ଅଲିମ୍ପିକ୍ସ ଯୋଗ୍ୟତା ପାଇବ। ରୁଷିଆ ଯଦି ସମାନ ଗୋଲ ବ୍ୟବଧାନରେ ଭାରତକୁ ପରାସ୍ତ କରେ ତେବେ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ଫଳାଫଳ ନିର୍ଣ୍ଣିତ ହେବ। ଭାରତ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ମନଦୀପ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।
ମ୍ୟାଚ ଆରମ୍ଭରୁ ଭାରତ ଗେମ୍‌କୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରିଥିଲା। ବଲ୍‌କୁ ରୁଷିଆ ହାଫ୍‌ରେ ରଖି ସୁଯୋଗ ସୃଷ୍ଟି ପାଇଁ ଉଦ୍ୟମ କରିଥିଲା। ୫ମ ମିନିଟରେ ଦଳକୁ ପ୍ରଥମ ପେନାଲ୍ଟି କର୍ନର ମିଳିଥିଲା। ତାରକା ଡିଫେଣ୍ଡର ହରମନପ୍ରୀତ ସିଂ ଶଟ୍‌ ମାରୁଥିବାବେଳେ ରୁଷିଆ ଖେଳାଳିମାନେ ବିପଜ୍ଜନକଭାବେ ତାଙ୍କୁ ପ୍ରତିରୋଧ କରିଥିଲେ। ଫଳରେ ରୁଷିଆକୁ ଦଣ୍ଡ ସ୍ବରୂପ ଅମ୍ପାୟର ଭାରତକୁ ପେନାଲ୍ଟି ଷ୍ଟ୍ରୋକ୍‌ ଦେଇଥିଲେ। ହରମନପ୍ରୀତ ତାହାକୁ ଗୋଲରେ ପରିଣତ କରି ଭାରତକୁ ଅଗ୍ରଣୀ କରାଇଥିଲେ। ର଼୍ୟାଙ୍କିିଙ୍ଗ୍‌ରେ ଭାରତ(୫ମ)ଠାରୁ ରୁଷିଆ(୨୨ତମ) ତଳେ ଥିବାରୁ ମ୍ୟାଚ ଏକପାଖିଆ ହେବ ବୋଲି ଆଶା କରାଯାଉଥିଲା। ଗତ ଜୁନ୍‌ରେ ଏଠାରେ ଅନୁଷ୍ଠିତ ଏଫଆଇଏଚ୍‌ ସିରିଜରେ ଭାରତ ୧୦-୦ ଗୋଲରେ ରୁଷିଆକୁ ପରାସ୍ତ କରିଥିଲା। ତେଣୁ ଏଥର ମଧ୍ୟ ତା’ର ପୁନରାବୃତ୍ତି ଘଟିବ ବୋଲି ମଧ୍ୟ ଆକଳନ କରାଯାଉଥିଲା। ମାତ୍ର ମ୍ୟାଚ ଆଗେଇବାକ୍ଷଣି ରୁଷିଆ ଭିନ୍ନ ପ୍ରଦର୍ଶନ କରିଥିଲା। ଅଲିମ୍ପିକ୍‌ କ୍ବାଲିଫାୟର୍ସ ପାଇଁ ଦଳ ଭଲଭାବେ ପ୍ରସ୍ତୁତ ହୋଇ ଆସିିଛି ବୋଲି ମଧ୍ୟ ପ୍ରଦର୍ଶନ ମାଧ୍ୟମରେ ପ୍ରମାଣିିତ କରିଥିଲା। ପ୍ରଥମ କ୍ବାର୍ଟରରେ ଭାରତ ୧-୦ରେ ଅଗ୍ରଣୀ ରହିଥିଲେ ହେଁ ଦ୍ୱିତୀୟ କ୍ବାର୍ଟର ଆରମ୍ଭରେ ଅର୍ଥାତ୍‌ ୧୭ତମ ମିନିଟରେ ଆନ୍ଦ୍ରେ କୁରାଇଭ୍‌ ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ। ଏହାପରେ ଅଗ୍ରଣୀ ନେବାପାଇଁ ଭାରତ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ହେଁ ରୁଷିଆ ଡିଫେଣ୍ଡରମାନେ ଚମତ୍କାର ପ୍ରଦର୍ଶନ କରି ତାହାକୁ ସଫଳ ପ୍ରତିହତ କରିଥିଲେ। ୨୪ତମ ମିନିଟରେ ରୁଷିଆ ଗୋଲପୋଷ୍ଟ ଏରିଆ ମଧ୍ୟରେ ବଲ୍‌ ପାଇଁ ସଂଘର୍ଷ ମଧ୍ୟରେ ମନଦୀପ ସିଂ ଏକ ଫିଲ୍ଡ ଗୋଲ ଦେଇ ଭାରତକୁ ପୁଣି ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତ ୨-୧ ଗୋଲରେ ଅଗ୍ରଣୀ ହାସଲ କରିଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଉଭୟ ଦଳ ପରିବର୍ତ୍ତିତ ରଣନୀତିରେ ଖେଳିଥିଲେ ହେଁ ଗୋଲ ଦେବାରେ ସକ୍ଷମ ହୋଇ ନ ଥିଲେ। ତୃତୀୟ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା। ଦକ୍ଷତା ଅନୁସାରେ ଭାରତୀୟ ଦଳ ପ୍ରଦର୍ଶନ କରିପାରି ନ ଥିଲା। ଘରୋଇ ପରିବେଶ ଏବଂ ଦର୍ଶକ ସମର୍ଥରୁ ମଧ୍ୟ ଖେଳାଳିମାନେ ବିଶେଷ ଫାଇଦା ନେଇପାରି ନ ଥିଲେ। ୪ର୍ଥ ତଥା ଅନ୍ତିମ କ୍ବାର୍ଟରରେ ରୁଷିଆ ଗୋଲ ପରିଶୋଧ ପାଇଁ ଉଦ୍ୟମକୁ ଜୋରଦାର କରିଥିଲା। ୪୭ତମ ମିନିଟରେ ଅଗ୍ରଣୀ ବ୍ୟବଧାନକୁ ବଢ଼ାଇବା ପାଇଁ ଭାରତ ନିକଟରେ ସୁଯୋଗ ଥିଲା। ମାତ୍ର ହରମନପ୍ରୀତଙ୍କ ଡ୍ରାଗ୍‌ଫ୍ଲିକ୍‌ ଶଟ୍‌କୁ ରୁଷିଆ ଗୋଲକିପର ମାରାଟ ଗାଫାରୋଭ ସେଭ୍‌ କରି ଦେଇଥିଲେ। ତେବେ ରୁଷିଆ ବଲ୍‌କୁ ସମ୍ପୂର୍ଣ୍ଣଭାବେ କ୍ଲିୟର କରିପାରି ନ ଥିଲା। ଡି ଏରିଆ ମଧ୍ୟରେ ବଲ୍‌ ଥିବାବେଳେ ନିଳକାନ୍ତ ଶର୍ମାଙ୍କଠାରୁ ବଲ୍‌ ପାସ୍‌ ପାଇ ଏସ୍‌ଭି ସୁନୀଲ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ୪୮ତମ ମିନିଟରେ ଏହି ଗୋଲ ହୋଇଥିଲା। ଏହାର ୫ ମିନିଟ ପରେ ଅର୍ଥାତ୍‌ ୫୩ତମ ମିନିଟରେ ମନଦୀପ ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଦଳ ପକ୍ଷରୁ ୪ର୍ଥ ଗୋଲଟି ସ୍କୋର କରିଥିଲେ। ଏହାର ୧ ମିନିଟ ପରେ ରୁଷିଆକୁ କ୍ରମାଗତ ୨ଟି ପେନାଲ୍ଟି କର୍ନର ମିଳିଥିଲା। ମାତ୍ର ଖେଳାଳିମାନେ ତାହାର ଫାଇଦା ନେଇପାରି ନ ଥିଲେ। ୫୭ତମ ମିନିଟରେ ମଧ୍ୟ ଭାରତର ପେନାଲ୍ଟି କର୍ନର ମିସ୍‌ ହୋଇଥିଲା। ମ୍ୟାଚ ଶେଷ ହେବାକୁ ଆଉ ୪୭ ସେକେଣ୍ଡ ଥିବାବେଳେ ରୁଷିଆକୁ ପେନାଲ୍ଟି କର୍ନର ମିଳିଥିଲା। ୬୦ତମ ମିନିଟରେ ସିମେନ ମାଟ୍‌କୋଭସ୍କି ଏହାକୁ ଗୋଲରେ ପରିଣତ କରିବାରେ ସକ୍ଷମ ହୋଇଥିଲେ। ୧୦ ସେକେଣ୍ଡ ଖେଳ ବାକି ରହିଥିବାବେଳେ ଭାରତକୁ ଲଗାତର ୨ଟି ପେନାଲ୍ଟି କର୍ନର ମିଳିଥିଲେ ହେଁ ହରମନପ୍ରୀତ ତାହାର ସଦୁପଯୋଗ କରିପାରି ନ ଥିଲେ।

ଗୋଲ ସ୍କୋରର
ଭାରତ
ହରମନପ୍ରୀତ ସିଂ: ୫ମ ମିନିଟ
ମନଦୀପ ସିଂ: ୨୪ତମ ମିନିଟ
ଏସ.ଭି. ସୁନୀଲ: ୪୮ତମ ମିନିଟ
ମନଦୀପ ସିଂ: ୫୩ତମ ମିନିଟ
ରୁଷିଆ
ଆନ୍ଦ୍ରେ କୁରାଇଭ୍‌: ୧୭ତମ ମିନିଟ
ସେମେନ ମାଟ୍‌କୋଭସ୍କି: ୬୦ତମ ମିନିଟ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶାରେ ପହଞ୍ଚିଲେ ଚାମ୍ପିୟନ ଟିମ୍‌: ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ୱର,୧୮ା୧୧: ଚେନ୍ନାଇରେ ଅନୁଷ୍ଠିତ ୧୪ତମ ଜାତୀୟ ସିନିୟର ହକି ଚାମ୍ପିୟନଶିପ୍‌ରେ ହରିୟାଣାକୁ ୫-୧ରେ ହରାଇ ଓଡ଼ିଶା ପୁରୁଷ ଦଳ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଛି।...

ବୁମ୍‌ରାଙ୍କ ପାଇଁ କାଳ ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୭।୧୧: ଭାରତୀୟ ବୋଲର୍‌ ଜସପ୍ରିତ ବୁମ୍‌ରା ନିଜର ସ୍ବତନ୍ତ୍ର ବୋଲିଂ ଶୈଳୀକୁ ନେଇ ସାରା ବିଶ୍ୱରେ ପରିଚିତ। ତାଙ୍କ ସାମ୍ନାରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନ ଅଧିକ...

ହକିରେ ଇତିହାସ ରଚିଲା ଓଡ଼ିଶା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୧୧(ସରୋଜ ଜେନା): ଚେନ୍ନାଇରେ ଅନୁଷ୍ଠିତ ୧୪ତମ ଜାତୀୟ ସିନିୟର ହକି ଚାମ୍ପିୟନଶିପ୍‌ରେ ଶନିବାର ହରିୟାଣାକୁ ୫-୧ରେ ହରାଇ ଓଡ଼ିଶା ପ୍ରଥମ ଥର ଚାମ୍ପିୟନ ଆଖ୍ୟା ଅର୍ଜନ...

ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ନେଇ ଆଇସିସିର ବଡ଼ ଘୋଷଣା: ଭାରତ ଆସିବ ଚାମ୍ପିଅନ୍ସ ଟ୍ରଫି…

ନୂଆଦିଲ୍ଲୀ,୧୬।୧୧: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ର କାର୍ଯ୍ୟସୂଚୀକୁ ଉତ୍ସାହର ସହିତ ଅପେକ୍ଷା କରିଛି। ଏହି ଟୁର୍ନାମେଣ୍ଟକୁ ପାକିସ୍ତାନ ଆୟୋଜନ କରିବାକୁ ଥିବା ବେଳେ ପାକିସ୍ତାନ...

ଟିମ୍‌ ଇଣ୍ଡିଆରେ ଆଉ ନଜର ଆସିବେନି ସୂର୍ଯ୍ୟକୁମାର ଯାଦବ! ମନେ ପକାଇବେ ପ୍ରଶଂସକ, ଏ ହେଉଛି କାରଣ…

ନୂଆଦିଲ୍ଲୀ,୧୬।୧୧: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ସ୍ମରଣୀୟ ପାଲଟିଛି। ଦଳ ୪ ମ୍ୟାଚ୍‌ର ଟି୨୦ ସିରିଜର ୩-୧ରେ ବାଜି ମାରିଛି।...

ମାର୍କ କିଙ୍ଗ୍‌ ୫ ବର୍ଷ ବାସନ୍ଦ

ଶିଫିଲ୍ଡ, ୧୬ା୧୧ (ଏପି): ଇଂଲିଶ ସ୍ନୁକର ଖେଳାଳି ମାର୍କ କିଙ୍ଗ୍‌ଙ୍କୁ ଶୁକ୍ରବାର ୫ ବର୍ଷ ବାସନ୍ଦ କରାଯାଇଛି। ମ୍ୟାଚ ଫିକ୍ସିଂ କରିବା ଓ ଟୁର୍ନାମେଣ୍ଟର ଭିତିରି...

ଆଇପିଏଲ୍‌ ନିଲାମିରେ ୫୭୪ ଖେଳାଳି

ନୂଆଦିଲ୍ଲୀ, ୧୬ା୧୧ (ପି.ଟି.): ଆଗାମି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୫ ପାଇଁ ଖେଳାଳି ନିଲାମି ନଭେମ୍ବର ୨୪ ଓ ୨୫ରେ ସାଉଦି ଆରବର ଜେଦାହଠାରେ...

ରୋହିତ ଶର୍ମାଙ୍କ ବଡ଼ ରେକର୍ଡ ଭାଙ୍ଗିଦେଲେ ତିଳକ ବର୍ମା

ସେଞ୍ଚୁରିୟନ୍‌,୧୬।୧୧: ତିଳକ ବର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିସ୍ଫୋରକ ପ୍ରଦର୍ଶନ କରି କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍‌ରେ ଟିମ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri