Categories: ଖେଳ

ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର୍ସ: ଆଜିଠାରୁ ଟିକେଟ ବିକ୍ରି ଆଉଟଲେଟ, ବକ୍ସ ଅଫିସରେ ମିଳିବ ଟିକେଟ

ଭୂବନେଶ୍ୱର, ୧୭।୧୦(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଉ ଦୁଇ ସପ୍ତାହ ପରେ ଆୟୋଜନ ହେବାକୁ ଯାଉଛି ଅନ୍ତଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ) ଅଲିମ୍ପିକ୍‌ କ୍ୱାଲିଫାୟର୍ସ। ଏଥିରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ୨୦୨୦ ଟୋକଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ପଡିଆକୁ ଓହ୍ଲାଇବେ। ଗୁରୁବାରଠାରୁ କଳିଙ୍ଗ ଷ୍ଟାଡିୟମ ବକ୍ସ ଅଫିସ୍‌ରେ ଟିକେଟ ବିକ୍ରି ଆରମ୍ଭ ହେବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ଏଥିସହିତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ଆଉଟ୍‌ଲେଟ୍‌ରେ ମଧ୍ୟ ଟିକେଟ ବିକ୍ରି ହେବ ବୋଲି କୁହାଯାଇଛି। ଷ୍ଟାଡିୟମର ୯ ନମ୍ବର ଗେଟ୍‌ ସ୍ଥିତ ବକ୍ସ ଅଫିସ୍‌ରେ ଟିକେଟ ମିଳିବ। ନଭେମ୍ବର ୧ ଓ ୨ ତାରିଖରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପାଇଁ ଯେଉଁ ପ୍ରଶଂସକମାନେ ଅନ୍‌ଲାଇନ୍‌ରେ ଭାଉଚର କିଣିଛନ୍ତି ସେମାନେ ଷ୍ଟାଡିୟମର ୪ ନମ୍ବର ଗେଟ୍‌ ସ୍ଥିତ ରିଡେମ୍ପଶନ ସେଣ୍ଟରରେ ରିଡିମ କରିପାରବେ ବୋଲି କୁହାଯାଇଛି। ଗୁରୁବାରଠାରୁ ଦିନ ୧୧ଟା ଓ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ।
ଭାରତୀୟ ପୁରୁଷ ହକି ଦଳ ଏବେ ବିଶ୍ୱ ର଼୍ୟାଙ୍କିଙ୍ଗର ୫ ନମ୍ବର ସ୍ଥାନରେ ରହିଛି। ପୁରୁଷ ଦଳ ରୁଷିଆକୁ ୨ଟି ମ୍ୟାଚ୍‌ରେ ଭେଟିବ। ସେହିପରି ବିଶ୍ୱ ର଼୍ୟାଙ୍କିଙ୍ଗର ୯ ନମ୍ବର ସ୍ଥାନରେ ଥିବା ଭାରତୀୟ ମହିଳା ହକି ଦଳ ଆମେରିକାକୁ ୨ଟି ମ୍ୟାଚ୍‌ରେ ଭେଟିବ। ଇଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟର ମୂଲ୍ୟ ୩୦୦, ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ପାଇଁ ଟିକେଟ ମୂଲ୍ୟ ୨୦୦ ରଖାଯାଇଛି। ସେହିପରି ଓ୍ବେଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟର ମୂଲ୍ୟ ୫୦୦ ଟଙ୍କା ରଖାଯାଇଛି। ଆସନ୍ତା ୧୯ ଓ ୨୬ ତାରିଖରେ ଭାରତୀୟ ମହିଳା ହକି ଦଳରେ ପ୍ରାକ୍ଟିସ ସେସନ ଆୟୋଜନ ହେବ। ଏହା ପ୍ରଶଂସକଙ୍କ ପାଇଁ ଖେଲା ରହିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ହକି ଇଣ୍ଡିଆ ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ ଅହମ୍ମଦ ଟିକେଟ ବିକ୍ରି ସଂକ୍ରାନ୍ତରେ ସୂଚନା ଦେଇଥିଲେ। କଳିଙ୍ଗ ଷ୍ଟାଡିୟମର ବହୁ ସଂଖ୍ୟାରେ ଘରୋଇ ଦର୍ଶକ ଭାରତୀୟ ଦଳକୁ ଚିୟର କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଟିକେଟ ମୂଲ୍ୟ
ଇଷ୍ଟ ଷ୍ଟାଣ୍ଡ- ୩୦୦ ଟଙ୍କା
ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ- ୨୦୦ ଟଙ୍କା
ଓ୍ବେଷ୍ଟ ଷ୍ଟାଣ୍ଡ- ୫୦୦ ଟଙ୍କା

Share