Categories: ଖେଳ

ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ: ଟିକେଟ ବିକ୍ରି ଅର୍ଥ ଓଡ଼ିଶା ସରକାରଙ୍କୁ ଦିଆଯିବ

ଭୁବନେଶ୍ୱର,୩୧।୫(ସ୍ପୋଟର୍‌ସ ବ୍ୟୁରୋ)- ଏଠାରେ ଆୟୋଜନ ହେବାକୁଥିବା ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସର ଟିକେଟ ବିକ୍ରିରୁ ଉପାର୍ଜିତ ହେବାକୁଥିବା ଅର୍ଥ ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯିବ ବୋଲି ହକି ଇଣ୍ଡିଆ ତରଫରୁ କୁହାଯାଇଛି। ମହାବାତ୍ୟା ଫନୀ ଦ୍ୱାରା ରାଜ୍ୟରେ ବିପୁଳ କ୍ଷୟକ୍ଷତି ହୋଇଛି। ପୁନରୁଦ୍ଧାର କାର୍ଯ୍ୟ ଓ ବାତ୍ୟା ପ୍ରଭାବିତ ଲୋକଙ୍କ ସାହାଯ୍ୟ ପାଇଁ ଏହି ଅର୍ଥ ବ୍ୟୟ କରାଯିବ ବୋଲି କୁହାଯାଇଛି। ଟିକେଟ ବିକ୍ରିରୁ ଲବ୍ଧ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ପ୍ରଦାନ କରାଯିବ ବୋଲି ହକି ଇଣ୍ଡିଆ କହିଛି।
ଫନୀ ଦ୍ୱାର ହୋଇଥିବା କ୍ଷୟକ୍ଷତିକୁ ଦେଖି ଆମେ ଦୁଃଖିତ। ହକିକୁ ଓଡ଼ିଶା ଭଲପାଇବା, ସାହାଯ୍ୟ ସମର୍ଥନ ଦେଇଆସିଛି। ଏବେ ଏହାର ପ୍ରତିଦାନରେ ଆମେ କିଛି କରିବାରୁ ସୁଯୋଗ ପାଇଛୁ ବୋଲି ହକି ଇଣ୍ଡିଆ ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ୍‌ ଅହମ୍ମଦ କହିଛନ୍ତି। ଯେତେ ସମ୍ଭବ ଆମେ ପୁନର୍ଗଠନ କାର୍ଯ୍ୟାରେ ସହାୟତା ପ୍ରଦାନ କରିବୁ। ଉଲ୍ଲେଖଥାଉ କି, ଚଳିତ ମାସ ପ୍ରାରମ୍ଭରେ ମହାବାତ୍ୟା ଫନୀ ଯୋଗୁ ୧୪ଟି ଜିଲା ଓ ୧୫୯ଟି ବ୍ଲକର ପାଖାପାଖି ଦେଢ କୋଟି ଲୋକ ପ୍ରଭାବିତ ହୋଇଥିଲେ। ରାଜ୍ୟରେ ସାଂଘାତିକ କ୍ଷୟକ୍ଷତି ହୋଇଥିଲା। ଏଫ୍‌ଆଇଏଚ୍‌ ହକି ସିରିଜ ଫାଇନାଲ୍ସ ଆସନ୍ତା ୬ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହେବ। ଏହି ଟୁର୍ନାମେଣ୍ଟର ସଫଳ ଆୟୋଜନ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂର୍ବରୁ ଏଠାରେ ବିଶ୍ୱକପ୍‌ ସମେତ ଏକାଧିକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ବେଶ୍‌ ସଫଳତାର ସହ ଆୟୋଜିତ ହୋଇଛି। ତେଣୁ ଓଡ଼ିଶା ଲୋକଙ୍କ ନିକଟରେ ହକି ଓଡ଼ିଶା କୃତଜ୍ଞ ହୋଇରହିବ। ତେଣୁ ଏହି କଷ୍ଟକର ମୁହୂର୍ତ୍ତରେ ମଧ୍ୟ ଓଡ଼ିଶାର ଲୋକେ ସମର୍ଥନ ଜଣାଇବା ମଧ୍ୟ ଏକ ବଡ଼କଥା ବୋଲି ସେ କହିଛନ୍ତି। ଫନୀ ଜନିତ କ୍ଷୟକ୍ଷତି ସତ୍ତ୍ୱେ ଓଡ଼ିଶା ସରକାର ଠିକ ସମୟରେ କଳିଙ୍ଗ ହକି ଷ୍ଟାଡିୟମକୁ ପ୍ରସ୍ତୁତ କରିପାରିଛନ୍ତି। ଏଥିପାଇଁ ଆମେ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି ସେ କହିଛନ୍ତି। ଏହି ଟୁର୍ନାମେଣ୍ଟରେ ଭାରତ ସମେତ ପୋଲାଣ୍ଡ, ରୁଷିଆ, ଉଜ୍‌ବେକିସ୍ତାନ, ଦକ୍ଷିଣ ଆଫ୍ରିକା, ଏସିଆନ ଗେମ୍ସ ସ୍ବର୍ଣ୍ଣପଦକ ବିଜେତା ଜାପାନ, ଆମେରିକା ଓ ମେକ୍ସିକୋ ଅବତୀର୍ଣ୍ଣ ହେବେ।

Share