Categories: ଖେଳ

ଏଫ୍‌ଆଇଏଚ୍‌ ମହିଳା ହକି ସିରିଜ ଫାଇନାଲ:ସେମିଫାଇନାଲରେ ଭାରତ

ହିରୋଶୀମା,୧୮।୬(ପିଟି)- ଏଠାରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ସିରିଜ୍‌ ଫାଇନାଲ୍ସ ଟୁର୍ନାମେଣ୍ଟରେ ଭାରତୀୟ ଦଳ ବୃହତ୍‌ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି। ଗୁର୍‌ଜୀତ କୌରଙ୍କ ୪ ଗୋଲ ବଳରେ ଭାରତୀୟ ଦଳ ୧୧-୦ ବ୍ୟବଧାନରେ ଫିଜିକୁ ହରାଇ ଦେଇଛି। ଗୁର୍‌ଜୀତଙ୍କ ବ୍ୟତୀତ ମୋନିକା ଡବଲ୍ସ ଗୋଲ ଦେଇଥିବାବେଳେ ଲାଲରେମ୍‌ସିଆମି, ଅଧିନାୟିକା ରାଣୀ ରାମ୍‌ପାଲ, ବନ୍ଦନା କାଟାରିଆ, ଲିଲିମା ମିଞ୍ଜ ଓ ନବନୀତ କୌର ଗୋଟିଏ କରି ଗୋଲ ସ୍କୋର କରିଥିଲେ। ବିଶ୍ୱର ୯ମ ର଼୍ୟାଙ୍କ ଦଳ ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିମ୍ନ ର଼୍ୟାଙ୍କଧାରୀ ଦଳ ଉପରେ ପ୍ରଭାବ ବିସ୍ତାର କରି ଖେଳିଥିଲା। ୬୦ ମିନିଟ ବିଶିଷ୍ଟ ମ୍ୟାଚ୍‌ରେ ଭାରତ ପ୍ରତିପକ୍ଷ ଦଳର ସ୍କୋରିଂ ଅଞ୍ଚଳରେ ୭୪ ଥର ପ୍ରବେଶ କରିଥିଲା। ପ୍ରଥମ କ୍ୱାର୍ଟରର ୪ର୍ଥ ମିନିଟ୍‌ରେ ଲାଲରେମ୍‌ସିଆମିଙ୍କ ଫିଲ୍ଡ ଗୋଲ ଜରିଆରେ ଦଳର ଖାତା ଖୋଲିଥିଲେ। ଅଧିନାୟିକା ରାଣୀ ଦଳ ପାଇଁ ଦ୍ୱିତୀୟ ସଫଳତା ଆଣି ଦେଇଥିଲେ। ୧୦ମ ମିନିଟ୍‌ରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ସେ ଗୋଲରେ ପରିଣତ କରିଥିଲେ। ଏହାର ପର ମିନିଟ୍‌ରେ ମୋନିକା (୧୧ତମ ମିନିଟ୍‌) ଗୋଲ ଦେଇ ଦଳର ଅଗ୍ରଣୀ ବ୍ୟବଧାନକୁ ୩-୦ ବୃଦ୍ଧି କରାଇଥିଲେ। ଫରଓ୍ବାର୍ଡ ବନ୍ଦନା କାଟାରିୟା (୧୨ତମ) ଫିଲ୍ଡ ଗୋଲ ଦେଇଥିବାବେଳେ ଗୁର୍‌ଜୀତ (୧୪ତମ) ପେନାଲ୍ଟି କର୍ନର ଜରିଆରେ ସ୍କୋର କରିଥିଲେ। ଫଳରେ ପ୍ରଥମ କ୍ୱାର୍ଟର ସୁଦ୍ଧା ଭାରତ ୫-୦ ଗୋଲର ଅଗ୍ରଣୀ ହାସଲ କରି ନେଇଥିଲା। ଏହାପରେ ୧୯ , ୨୧ ଓ ୨୨ ତମ ମିନିଟ୍‌ରେ କ୍ରମାଗତ ୩ ଗୋଲ ଦେଇ ଗୁର୍‌ଜୀତ ବ୍ୟକ୍ତିଗତ ହ୍ୟାଟ୍ରିକ ପୂରଣ କରିଥିଲେ। ତୃତୀୟ କ୍ୱାର୍ଟର ଆରମ୍ଭରୁ ମିଡ୍‌ଫିଲ୍ଡର ମୋନିକା (୩୩ତମ) ଦଳ ଲାଗି ୯ମ ଗୋଲ ଦେଇଥିଲେ। ଏହି ଧାରାରେ ୫୧ତମ ମିନିଟ୍‌ରେ ଗୋଲ ଦେଇ ଓଡ଼ିଆ ଖେଳାଳି ଲିଲିମା ସାମିଲ ହୋଇଥିଲେ। ଏହାର ୬ମ ମିନିଟ୍‌ ପରେ ନବନୀତ ମ୍ୟାଚ୍‌ର ଅନ୍ତିମ ଗୋଲ ଦେଇଥିଲେ। ଭାରତୀୟ ଦଳ ଶନିବାର ତା’ର ସେମିଫାଇନାଲ ମ୍ୟାଚ୍‌ ଖେଳିବ।

Share