Categories: ଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ରୁଷିଆ ୧୨, ଉଜ୍‌ବେକିସ୍ତାନ ୧କଳିଙ୍ଗରେ ଗୋଲ ରେକର୍ଡ

ଭୁବନେଶ୍ୱର, ୮।୬(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଗୋଲ ବର୍ଷା ଜାରି ରହିଛି। ଗୁରୁବାର ଭାରତ ୧୦-୦ ଗୋଲରେ ରୁଷିଆକୁ ହରାଇଥିବାବେଳେ ଶୁକ୍ରବାର ରୁଷିଆ ୧୨-୧ ଗୋଲରେ ଉଜ୍‌ବେକିସ୍ତାନକୁ ପରାସ୍ତ କରିଛି। ଫଳରେ ପ୍ରଥମ ମ୍ୟାଚରେ ଭାରତ ନିକଟରୁ ଶୋଚନୀୟ ପରାଜୟ ବରଣ କରିଥିବା ରୁଷିଆ ଟୁର୍ନାମେଣ୍ଟରେ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ରୁଷିଆ ପକ୍ଷରୁ ଏକାକୀ ୫ ଗୋଲ ଦେଇଥିବା ୯ ନମ୍ବର ଜର୍ସି ପରିହିତ ସିମେନ ମାଟ୍‌କୋଭସ୍କି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ପୂର୍ବରୁ ମ୍ୟାଚ ଆରମ୍ଭରେ ଆଜିର ଅତିଥି ଥିଲେ ଅଲିମ୍ପିଆନ ଅନୁରାଧା ବିଶ୍ୱାଳ। କଳିଙ୍ଗ ଷ୍ଟାଡିୟମରେ କୌଣସି ଅନ୍ତର୍ଜାତୀୟ ହକି ମ୍ୟାଚରେ ୧୩ ଗୋଲ ହେବା ଏକ ରେକର୍ଡ। ପୂର୍ବରୁ ୨୦୧୮ ହକି ବିଶ୍ୱକପ ଅବସରରେ ଚାଇନା ବିପକ୍ଷରେ ଅଷ୍ଟ୍ରେଲିଆ ସର୍ବାଧିକ ୧୧-୦ ଗୋଲରେ ବିଜୟୀ ହୋଇଥିଲା। ତେବେ ବିଜୟ ଗୋଲ ବ୍ୟବଧାନରେ ଅଷ୍ଟ୍ରେଲିଆର ସମକକ୍ଷ ହୋଇଛି ରୁଷିଆ। କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଥିବାରୁ ଉଜ୍‌ବେକିସ୍ତାନର ଆଗକୁ ବଢ଼ିବା ସମ୍ଭାବନା ଏକପ୍ରକାର ଶେଷ ହୋଇ ଯାଇଛି। ପ୍ରଥମ ମ୍ୟାଚରେ ଏହି ଦଳ ୦-୪ ଗୋଲରେ ପୋଲାଣ୍ଡଠାରୁ ହାରିଥିଲା।
ପୁଲ୍‌-ଏର ଏହି ମ୍ୟାଚରେ ବିଶ୍ୱର ୪୩ତମ ର଼୍ୟାଙ୍କ୍‌ପ୍ରାପ୍ତ ଉଜ୍‌ବେକିସ୍ତାନ ୨୨ ନମ୍ବର ରୁଷିଆ ବିପକ୍ଷରେ ଅତ୍ୟନ୍ତ ଅସହାୟ ମନେ ହୋଇଥିଲା। ବିଜୟୀ ଦଳ ପକ୍ଷରୁ ସିମେନ ୧୩(ପେନାଲ୍ଟି କର୍ନର), ୧୭(ପେନାଲ୍ଟି ଷ୍ଟ୍ରୋକ୍‌), ୨୬(ପେନାଲ୍ଟି କର୍ନର), ୪୪(ପେନାଲ୍ଟି କର୍ନର) ଓ ୪୮(ପେନାଲ୍ଟି କର୍ନର) ତମ ମିନିଟରେ ୫ ଗୋଲ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୧୧ ନମ୍ବର ଜର୍ସିଧାରୀ ଆଲେକ୍‌ଜାଣ୍ଡର ସ୍କିପରସ୍କି ୧୫ ଓ ୨୨(ଉଭୟ ଫିଲ୍ଡ ଗୋଲ)ତମ ମିନିଟରେ ୨ଟି, ସର୍ଗି ଲିପେସ୍କିନ ୧୯(ଫିଲ୍ଡ), ଆଲେକ୍ସି ସୋବୋଲେଭସ୍କି ୨୨(ଫିଲ୍ଡ), ମିଖାଇଲ ପ୍ରୋସ୍କୁରିଆକୋଭ ୩୬(ଫିିଲ୍ଡ), ମାରଟ ଖଇରୁଲିନ ୪୦(ଫିିଲ୍ଡ) ଓ ଡେନିସ ଷ୍ଟାରିଏଙ୍କୋ ୫୯(ଫିଲ୍ଡ)ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଉଜ୍‌ବେକିସ୍ତାନ ପକ୍ଷରୁ ଖାକିମବୟ ଖାକିମୋଭ ୨୯ତମ ମିନିଟରେ ପେନାଲ୍ଟି କର୍ନରରୁ ଗୋଟିଏ ଗୋଲ ପରିଶୋଧ କରିଥିଲେ। ୯ ତାରିଖରେ ରୁଷିଆ ଏହାର ପରବର୍ତ୍ତୀ ମ୍ୟାଚରେ ପୋଲାଣ୍ଡକୁ ଭେଟିବ। ୧୦ ତାରିଖରେ ଉଜ୍‌ବେକିସ୍ତାନ ଏହାର ଅନ୍ତିମ ଲିଗ୍‌ ମ୍ୟାଚ ଭାରତ ବିପକ୍ଷରେ ଖେଳିବ।

Share