Categories: ଖେଳ

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ : କଳିଙ୍ଗରେ ଭାରତକୁ ଭେଟିବାକୁ ପ୍ରସ୍ତୁତ: ଜେଲସ୍କି

ଭୁବନେଶ୍ୱର,୧୮ା୨(କ୍ରୀଡ଼ା ପ୍ରତିନିଧି)-
ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ହେଭିଓ୍ବେଟ ହକି ମୁକାବିଲା ପାଇଁ କ୍ଷେତ୍ର ପ୍ରସ୍ତୁତ। ଅନ୍ତର୍ଜାତୀୟ ହକିର ଦୁଇ ଶକ୍ତିଶାଳୀ ଦଳ ନେଦରଲାଣ୍ଡ୍ସ ଓ ବିଶ୍ୱ ଚାମ୍ପିୟନ ବେଲଜିୟମ ସହ ମୁକାବିଲା ପରେ ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ଏଥର ଭାରତର ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ। ଆସନ୍ତା ଶୁକ୍ରବାର ଓ ଶନିବାର ହେବାକୁ ଥିବା ୨ଟି ମ୍ୟାଚ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଦଳ ରବିବାର ରାତିରେ ଆସି ଏଠାରେ ପହଞ୍ଚିଛି। ଭାରତକୁ ଏହାର ଘରୋଇ ପରିବେଶରେ କଳିଙ୍ଗ ଷ୍ଟାଡିୟମରେ ଭେଟିବାକୁ ଆମେ ପ୍ରସ୍ତୁତ। ଏହି ଦୁଇ ମ୍ୟାଚ୍‌ ଅଲିମ୍ପିକ୍ସ ପ୍ରସ୍ତୁତିରେ ବେଶ୍‌ ସହାୟକ ହେବ ବୋଲି ଅଷ୍ଟ୍ରେଲିଆ ଅଧିନାୟକ ଆରନ ଜେଲସ୍କି ପ୍ରକାଶ କରିଛନ୍ତି।
ବିଶ୍ୱର ୨ ନମ୍ବର ଦଳ ଅଷ୍ଟ୍ରେଲିଆ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ବେଲଜିୟମଠାରୁ ପରାସ୍ତ ହୋଇ ଅଭିଯାନ ଆରମ୍ଭ କରିଥିଲା। ତେବେ ଏହାପରେ ଗ୍ରେଟ୍‌ ବ୍ରିଟେନକୁ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ବିଜୟ ପଥକୁ ଫେରିଥିବାରୁ ବାହାର ପରିବେଶରେ ଭାରତ ବିପକ୍ଷରେ ମଧ୍ୟ ବିଜୟୀ ହେବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ। ଘରୋଇ ଦର୍ଶକଙ୍କ ସାମ୍‌ନାରେ ବିଶ୍ୱର ୪ ନମ୍ବର ଦଳ ଭାରତକୁ ହରାଇବା ନିଶ୍ଚିତ ଭାବେ କଷ୍ଟକର ବୋଲି ଜେଲେସ୍କି ସ୍ବୀକାର କରିଛନ୍ତି। ଏପର୍ଯ୍ୟନ୍ତ ଭାରତ ଉଚ୍ଚକୋଟୀର ପ୍ରଦର୍ଶନ କରିଆସିଛି। ଏହି ଦଳ ବିପକ୍ଷରେ ଆମେ ଖେଳିବାକୁ ବେଶ୍‌ ଆଗ୍ରହୀ ଓ ଉତ୍ସାହିତ ଅଛୁ ବୋଲି ସେ କହିଛନ୍ତି। ମ୍ୟାଚ୍‌ ଆୟୋଜନ ହେବାକୁ କିଛିଦିନ ବାକି ରହିଛି। ତେଣୁ ଏଠାକାର ଜଳବାୟୁ ତଥା ପରିସ୍ଥିତି ସହ ଖୁବ୍‌ଶୀଘ୍ର ଖାପ ଖୁଆଇବୁ ଓ ଭଲ ପ୍ରଦର୍ଶନ କରିବୁ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଏଫଆଇଏଚ୍‌ ପ୍ରୋ ଲିଗ୍‌ର ପ୍ରଥମ ସଂସ୍କରଣ ୨୦୧୯ରେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ଫାଇନାଲରେ ଏହି ଦଳ ବେଲଜିୟମକୁ ୩-୨ ଗୋଲରେ ପରାସ୍ତ କରିଥିଲା। ଏଥର ୪ଟି ମ୍ୟାଚ୍‌ରୁ ୨ଟିରେ ବିଜୟୀ ହୋଇ ୬ ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଅନ୍ୟପଟେ ଭାରତ ୪ଟି ମ୍ୟାଚ୍‌ ଖେଳି ୨ ବିଜୟ, ୧ ଶୁଟ୍‌ ଆଉଟ ବିଜୟ ଓ ଗୋଟିଏ ପରାଜୟ ସହ ତୃତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ କୋଚ୍‌ କଲିନ୍‌ ବ୍ୟାଚ୍‌ ମଧ୍ୟ ସମାନ ମତ ପ୍ରକାଶ କରିଛନ୍ତି। ଭାରତ ବିପକ୍ଷରେ ଖେଳିବାକୁ ପୁଣିଥରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବାରୁ ଆମେ ବହୁତ ଉତ୍ସାହିତ। ଏପର୍ଯ୍ୟନ୍ତ ପ୍ରୋ ଲିଗ୍‌ରେ ଆମେ ମିଶ୍ରିତ ପ୍ରଦର୍ଶନ କରିଛୁ। ଆୟୋଜକ ଭାରତ ବିପକ୍ଷ ମ୍ୟାଚ୍‌ରେ କଡ଼ା ସଂଘର୍ଷର ସମ୍ମୁଖୀନ ହେବୁ ବୋଲି ବ୍ୟାଚ୍‌ ପୂର୍ବାନୁମାନ କରିଛନ୍ତି। ଦର୍ଶକଭରା ଷ୍ଟାଡିୟମରେ ଖେଳିବାକୁ ଆମେ ବେଶ୍‌ ଆଗ୍ରହୀ ବୋଲି ସେ କହିଛନ୍ତି।

Share