Categories: ଖେଳ

ଏଫ୍‌ଆଇଏଚ୍‌ ହକି ର଼୍ୟାଙ୍କିଙ୍ଗ: ପୁରୁଷ ୫ମ, ମହିଳା ୯ମ

ଲାଉସାନେ (ସୁଇଜରଲାଣ୍ଡ), ୮ା୯ (ପି.ଟି.)- ଓସେନିଆ କପ୍‌ ଶେଷ ହେବା ପରେ ରବିବାର ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ପକ୍ଷରୁ ବିଶ୍ୱ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତୀୟ ପୁରୁଷ ଦଳ ୫ମ ସ୍ଥାନ ବଜାୟ ରଖିଥିବାବେଳେ ମହିଳା ଦଳ ଗୋଟିଏ ସ୍ଥାନ ପଦୋନ୍ନତି ପାଇ ୯ମ ସ୍ଥାନ ଦଖଲ କରିଛି। ଅଷ୍ଟ୍ରେଲିଆର ଓସେନିଆ କପ୍‌ ସଫଳତା ଯୋଗୁ ର଼୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନରେ କୌଣସି ପରିବର୍ତ୍ତନ ଘଟିନାହିଁ। ଅଷ୍ଟ୍ରେଲିଆ ଓ ବେଲଜିୟମ ପୂର୍ବଭଳି ପ୍ରଥମ ଓ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ହେଲେ ଦୁଇ ଦଳ ମଧ୍ୟରେ ପଏଣ୍ଟ ବ୍ୟବଧାନ ୨କୁ ହ୍ରାସ ପାଇଛି। ଅଷ୍ଟ୍ରେଲିଆର ପଏଣ୍ଟ ସଂଖ୍ୟା ୨୩୫୦ ରହିଛି। ର଼୍ୟାଙ୍କିଙ୍ଗ ତାଲିକାରେ ୟୁରୋପିଆନ ବ୍ରୋଞ୍ଜ ପଦକ ବିଜୟୀ ନେଦରଲାଣ୍ଡ୍ସ (୨୧୫୫) ତୃତୀୟ ଏବଂ ଏହା ପଛକୁ ପାନ୍‌ ଆମେରିକାନ ଗେମ୍ସ ସ୍ବର୍ଣ୍ଣ ବିଜୟୀ ଆର୍ଜେଣ୍ଟିନା ରହିଛି। ଭାରତ(୧୮୨୩) ପୂର୍ବଭଳି ୫ମ ସ୍ଥାନରେ ରହିଥିବାବେଳେ ଜର୍ମାନୀ (୧୭୭୦) ଇଂଲଣ୍ଡ (୧୬୭୯)କୁ ହଟାଇ ୬ଷ୍ଠ ସ୍ଥାନ ଅଧିକାର କରିଛି। ୟୁରୋପିଆନ ରୌପ୍ୟ ବେଜିତା ସ୍ପେନ (୧୫୧୦) ୯ମ ସ୍ଥାନରୁ ୮ମ ସ୍ଥାନକୁ ଉଠିଛି। ଫଳରେ ନ୍ୟୁଜିଲାଣ୍ଡ (୧୪୫୯) ର଼୍ୟାଙ୍କିଙ୍ଗ ତାଲିକାରେ ଗୋଟିଏ ସ୍ଥାନ ତଳକୁ ଖସିଯାଇଛି। କାନାଡ଼ା ୧୦ମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ବେଲ୍‌ଫସ ୟୁରୋହକି ଚାମ୍ପିୟନଶିପ୍‌ରେ ଟାଇଟଲ ସଫଳତା ପାଇଁ ମହିଳା ର଼୍ୟାଙ୍କିଙ୍ଗରେ ନେଦରଲାଣ୍ଡ୍ସ ପ୍ରଥମ ସ୍ଥାନ ବଜାୟ ରଖିଛି। ସେହିପରି ଅଷ୍ଟ୍ରେଲିଆ ପୂର୍ବଭଳି ଦ୍ୱିତୀୟ ସ୍ଥାନରେ ରହିଛି। ପାନ୍‌ ଆମେରିକାନ ଗେମ୍ସ ଚାମ୍ପିୟନ ଆର୍ଜେଣ୍ଟିନା ମଧ୍ୟ ତୃତୀୟ ସ୍ଥାନ ବଜାୟ ରଖିଛି। ୟୁରୋପିଆନ ରୌପ୍ୟ ପଦକ ବିଜେତା ଜର୍ମାନୀ ବର୍ତ୍ତମାନ ବିଶ୍ୱର ଚତୁର୍ଥ ଶ୍ରେଷ୍ଠ ଦଳ। ଇଂଲଣ୍ଡ ଗୋଟିଏ ସ୍ଥାନ ତକୁ ଖସି ୫ମରେ ରହିଛି।

Share