Categories: ବାଣିଜ୍ୟ

ଏଫ୍‌ପିଆଇଙ୍କୁ ଟାର୍ଗେଟ କରାଯାଇନି: ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୦-୭:ବଜେଟରେ ପ୍ରସ୍ତାବ ଦିଆଯାଇଥିବା ନୂଆ ଟିକସ ବ୍ୟବସ୍ଥାକୁ ନେଇ ଫରେନ ପୋର୍ଟଫୋଲିଓ ଇନଭେଷ୍ଟର(ଏଫ୍‌ପିଆଇ)ଙ୍କ ମଧ୍ୟରେ ବିଭିନ୍ନ ଆଶଙ୍କା ଉପୁଜିଛି। ଏହାର ପ୍ରଭାବ ଦେଶର ପୁଞ୍ଜି ବଜାର ଉପରେ ମଧ୍ୟ ପରିଲକ୍ଷିତ ହୋଇଛି। ଗତ କିଛି ଦିନରେ ଶେୟାର ବଜାରର ସୂଚକାଙ୍କ ଖସି ଥିବା ବେଳେ ନିବେଶକମାନେ କ୍ଷତି ସହିଛନ୍ତି। ବିଶେଷ କରି ବିଦେଶୀ ନିବେଶକମାନେ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରି ନେଉଥିବା ଦେଖାଯାଉଛି। ବଜାରରେ ଏଭଳି ସ୍ଥିତି ଦେଖା ଦେଇଥିବା ବେଳେ ଏହାକୁ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ନୂଆ ଟିକସ ବ୍ୟବସ୍ଥାରେ ଏଫ୍‌ପିଆଇଙ୍କୁ ଟାର୍ଗେଟ କରାଯାଇ ନାହିଁ ବୋଲି ମନ୍ତ୍ରଣାଳୟ କହିଛି। ଅତିଧନୀ ପ୍ରଦାନ କରୁଥିବା ଆୟକର ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସରଚାର୍ଜ ବୃଦ୍ଧି କରିଛନ୍ତି।
୪୦% ଏଫ୍‌ପିଆଇ ସିଧାସଳଖ ଉଚ୍ଚ ହାରର ଟିକସ ପ୍ରଦାନକାରୀ ବର୍ଗରେ ଆସୁଥିଲେ ମଧ୍ୟ ସେମାନେ ଅଣ କର୍ପୋରେଟ ସଂସ୍ଥା ଭାବେ ନିବେଶ କରୁଛନ୍ତି। ଟ୍ରଷ୍ଟ କିମ୍ବା ଆସୋସିଏଶନ ଅଫ ପର୍ସନସ (ଏଓପି) ଭାବେ ଏହି ନିବେଶ କରାଯାଉଛି। ଆୟକର ନିୟମ ଅନୁସାରେ ଏମାନେ ଟିକସ ପ୍ରଦାନ କରିବାର ନିୟମ ରହିଛି। କେବଳ ଏଫ୍‌ପିଆଇଙ୍କ ଉପରେ ସରକାର ସରଚାର୍ଜ ଲାଗୁ ହେଉଥିବାର ଏକ ଛବି ନିବେଶକଙ୍କ ମନରେ ଆସିଛି। ଯାହା ସମ୍ପୂର୍ଣ୍ଣ ଭ୍ରମାତ୍ମକ ବୋଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସବୁ ଅତି ଧନୀବ୍ୟକ୍ତି ଏବଂ ଅଣ କର୍ପୋରେଟ ସଂସ୍ଥାଙ୍କ ଉପରେ ଏଭଳି ଟିକସ ଲାଗୁ ହୋଇଛି। ବିଦେଶୀ, ଘରୋଇ ନିବେଶକ, ଏଫ୍‌ପିଆଇ, ଏଫ୍‌ଆଇଇ କୌଣସି ବି ବର୍ଗ ହୁଅନ୍ତୁ ସମସ୍ତଙ୍କ ଲାଗି ସର୍‌ଚାର୍ଜ ଲାଗୁ ହୋଇଛି। କମ୍ପାନୀଗୁଡିକ ଲାଗି କୌଣସି ସରଚାର୍ଜ ବଢାଯାଇ ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି।

Share