Categories: ବାଣିଜ୍ୟ

ଏଫ୍‌ପିଆଇଙ୍କ ସରଚାର୍ଜ ପ୍ରତ୍ୟାହାର ନେଇ ବିଚାର

ନୂଆଦିଲ୍ଲୀ,୯-୮: ବଜେଟରେ ସରଚାର୍ଜ ଘୋଷଣା ପରେ ବିଦେଶୀ ନିବେଶକ(ଏଫ୍‌ପିଆଇ) ଦେଶରୁ ନିଜର ନିବେଶ ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି। ଭାରତୀୟ ଷ୍ଟକ୍‌ ବଜାର ପାଇଁ ଏହା ଶୁଭସଙ୍କେତ ହୋଇ ନଥିବାରୁ ଏଫ୍‌ପିଆଇଙ୍କ ଉପରୁ ସରଚାର୍ଜ ପ୍ରତ୍ୟାହାର ପାଇଁ ଦାବି ହୋଇ ଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ଅର୍ଥ ମନ୍ତ୍ରଣାଳୟ ସରଚାର୍ଜ ପ୍ରତ୍ୟାହାର କରିବାକୁ ଯାଉଛନ୍ତି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ସରକାର ବଜେଟରେ ଘୋଷିତ ସୁପର ରିଚ୍‌ ବା ଅତିଧନୀଙ୍କ ଉପରେ ସରଚାର୍ଜ ଆଦାୟକୁ ଜାରି ରଖିବାକୁ ଚାହୁଁଛନ୍ତି। ତେବେ ଏକ ବିଜ୍ଞପ୍ତି ଅଥବା ଅଧ୍ୟାଦେଶ ଜରିଆରେ ଏଫ୍‌ପିଆଇଙ୍କ ଉପରେ ଲାଗୁ ହେଉଥିବା ସରଚାର୍ଜକୁ ପ୍ରତ୍ୟାହାର କରିନେବେ। ଅଧ୍ୟାଦେଶ ଅଣାଗଲେ ପରେ ଏଥିପାଇଁ ପାର୍ଲାମେଣ୍ଟର ଅନୁମୋଦନ ନେବାକୁ ହେବ। ତେଣୁ ଏକ ସ୍ବତନ୍ତ୍ର ବିଲ୍‌ ଆଣିବାକୁ ହେବ। ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅର୍ଥ ମନ୍ତ୍ରଣାଳୟ ମଧ୍ୟରେ ଆଲୋଚନା ଚାଲିଛି। ବଜେଟରେ ଘୋଷିତ ବିବାଦୀୟ ଟିକସକୁ ନେଇ ଏବେ ଅର୍ଥ ମନ୍ତ୍ରଣାଳୟ ଚାପଗ୍ରସ୍ତ ହୋଇଛି। ଗତ ମାସରେ ବଜେଟ ଘୋଷଣା କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବାର୍ଷିକ ୨ କୋଟି ଟଙ୍କା ଆୟ କରୁଥିବା ଧନୀଙ୍କ ଠାରୁ ସରଚାର୍ଜ ଆଦାୟ କରିବାକୁ ପ୍ରସ୍ତାବ ଦେଇଥିଲେ। ସେହିପରି ଏଫ୍‌ପିଆଇଙ୍କ ଉପରେ ମଧ୍ୟ ଅନୁରୂପ ସରଚାର୍ଜ ଲାଗୁ ହେବ ବୋଲି ସେ କହିଥିଲେ। ନିବେଶକଙ୍କୁ ମନାଇବା ଉଦ୍ଦେଶ୍ୟରେ ବଜେଟ ପ୍ରସ୍ତାବରେ ସଂଶୋଧନ ଘୋଷଣା ଖୁବଶୀଘ୍ର କରାଯିବ ବୋଲି ଜଣାପଡିଛି। ଏଫ୍‌ପିଆଇଙ୍କ ଠାରୁ ସରଚାର୍ଜ ପ୍ରତ୍ୟାହାର କରାଗଲେ ସରକାର ବାର୍ଷିକ ୪୦୦ କୋଟି ଟଙ୍କାର ଟିକସ ହରାଇବେ ବୋଲି ଆକଳନ କରାଯାଇଛି।

Share