ଏବର୍ଷ ବଢ଼ିବନି ବିଦ୍ୟୁତ୍‌ ଶୁଳ୍କ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ହେବ ନାହିଁ। ପୂର୍ବ ବର୍ଷ ଭଳି ଘରୋଇ ଉପଭୋକ୍ତାମାନେ ବିଦ୍ୟୁତ୍‌ ଦେୟ ପଇଠ କରିବେ। ବିଦ୍ୟୁତ୍‌ ଉତ୍ପାଦନ ଓ ବଣ୍ଟନ କମ୍ପାନୀଗୁଡିକର ଶୁଳ୍କ ବୃଦ୍ଧି ଆବେଦନର ଶୁଣାଣି କରି ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ଏହି ନିଷ୍ପତ୍ତି ନେଇଛି। ଏହି ନିର୍ଦ୍ଦେଶନାମା ଜୁନ୍‌ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ସମସ୍ତ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀଗୁଡିକର ବଲ୍କ ସପ୍ଲାୟ ଶୁଳ୍କରୁ ଦୁଇ ପ୍ରତିଶତ ହ୍ରାସ କରାଯାଇଛି। ବିଦ୍ୟୁତ୍‌ ପରିବହନ ଶୁଳ୍କରେ ଅପରିବର୍ତ୍ତିତ ରହିଛି। ଓଡ଼ିଶା ହାଇଡ୍ରୋ ପାଓ୍ବାର କର୍ପୋରେଶନ(ଓଏଚପିସି) ପାଇଁ ବିଦ୍ୟୁତ୍‌ ଉପତ୍ାଦନ ଶୁଳ୍କ ଏକ ପ୍ରତିଶତ ହ୍ରାସ କରାଯାଇଥିବା ବେଳେ ଓଡ଼ିଶା ପାଓ୍ବାର ଜେନେରେଶନ କର୍ପୋରେଶନ(ଓପିଜିସିି)ର ଉପତ୍ାଦନ ଶୁଳ୍କରେ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି। ଯେଉଁ ଘରୋଇ ଏଲଟି ଲାଇନ ଉପଭୋକ୍ତା ଠିକ୍‌ ସମୟରେ ବିଦ୍ୟୁତ୍‌ ଦେୟ ପଇଠ କରୁଛନ୍ତି ସେମାନଙ୍କୁ ମାର୍ଚ୍ଚ ମାସରେ ଅତିରିକ୍ତ ରିହାତି ପ୍ରଦାନ କରାଯିବ। ଡିଜିଟାଲ ପେମେଣ୍ଟ କରୁଥିବା ଗ୍ରାହକମାନଙ୍କୁ ପ୍ରୋତ୍ସାହନ ସ୍ବରୂପ ବିଦ୍ୟୁତ୍‌ ଶୁଳ୍କରେ ରିହାତିକୁ ୧ ପ୍ରତିଶତରୁ ୨ ପ୍ରତିିଶତକୁ ବୃଦ୍ଧି କରାଯାଇଛି। ବଣ୍ଟନ କମ୍ପାନୀଗୁଡିକ ୬୦ ମାସ ପର୍ଯ୍ୟନ୍ତ ଉପଭୋକ୍ତାଙ୍କଠାରୁ ମିଟର ରେଣ୍ଟ ଆଦାୟ କରିପାରିବେ। ଘରୋଇ ଉପଭୋକ୍ତା, କୃଷି କ୍ଷେତ୍ର ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ନୂଆ ବିଦ୍ୟୁତ୍‌ ସଂଯୋଗ ପାଇଁ ତତ୍କାଳ ଯୋଜନା ଲାଗୁ ହେବ। ଏଚ୍‌ଟି ଏବଂ ଇଏଚ୍‌ଟି ଉପଭୋକ୍ତାଙ୍କ ପାଇଁ ପ୍ରତି ୟୁନିଟରେ ସରଚାର୍ଜ ୧୦ ପଇସା ଲାଗୁ ହେବ। ଏସ୍‌ସି/ଏସ୍‌ଟି ବିଭାଗ ଦ୍ୱାରା ପରିଚାଳିତ ଛାତ୍ରାବାସଗୁଡିକ ୟୁନିଟ୍‌ ପିଛା ୨ଟଙ୍କା ୪୦ ପଇସା ରିହାତି ପାଇବେ। ନିର୍ଦ୍ଧାରିତ ସମୟରେ ବିଦ୍ୟୁତ୍‌ ବିଲ୍‌ ପଇଠ କରୁଥିବା ସ୍ବଜଳା ଧାରା ଉପଭୋକ୍ତାଙ୍କୁ ସ୍ବତନ୍ତ୍ର ଭାବେ ୧୦ ପ୍ରତିଶତ ଅତିରିକ୍ତ ରିହାତି ଯୋଗାଇ ଦେବାକୁ ଓଇଆରସି ନିର୍ଦ୍ଦେଶ ଦେଇଛନ୍ତି।

Share