ଏବେ ଏହି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ ହେବେ ଇମ୍ରାନ

ମାନାମା,୯।୧୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ମୁସ୍‌ଲିମ ଦେଶ ବାହରିନ ତାଙ୍କୁ ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରିବ। ‘କିଙ୍ଗ୍‌ ହମାଦ ଅର୍ଡର ଅଫ୍‌ ରେନେସା’ ନାମକ ଏହି ଆଓ୍ବାର୍ଡରେ ଇମ୍ରାନଙ୍କୁ ଏକ ସ୍ବତନ୍ତ୍ର ପୁରସ୍କାର ଦିଆଯିବ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳିତ ବର୍ଷ ଅଗଷ୍ଟରେ ଏହି ପୁରସ୍କାରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ସମ୍ମାନୀତ ହୋଇସାରିଛନ୍ତି। ସୂଚନାଯୋଗ୍ୟ, ଡିସେମ୍ବର ୧୫ରେ ୩ ଦେଶକୁ ଗସ୍ତ କରିବେ ଇମ୍ରାନ। ପ୍ରଥମେ ସେ ବାହରିନ ଗସ୍ତ କରି ରାଷ୍ଟ୍ରୀୟ ଦିବସ ସମାରୋହରେ ଭାଗ ନେବେ। ଏହି ଅବସରରେ ସେ ନିଜ ସମକକ୍ଷ ଖଲିଫା ବିନ୍‌ ସଲମାନ ଅଲ୍‌ ଖଲିଫା ଓ କିଙ୍ଗ ହମାଦ ବିନ୍‌ ଇର୍‌ସା ଅଲ୍‌ ଖଲିଫାଙ୍କୁ ଭେଟିବାର ଏକ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ତାଙ୍କୁ ଉକ୍ତ ପୁରସ୍କାର ଦିଆଯିବ ବୋଲି ଜଣାପଡ଼ିଛି। ଏହାପରେ ସେ ସୁଇଜରଲ୍ୟାଣ୍ଡର ଜେନେଭା ଓ ମାଲେସିଆ ଗସ୍ତ କରିବେ।

Share