ଏବେ କାମ କରିବା ସମୟ

ଜାତିସଂଘ,୨୪।୯: ନ୍ୟୁୟର୍କରେ ସୋମବାର ଅନୁଷ୍ଠିତ ଜାତିସଂଘ ଜଳବାୟୁ ସମିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ ଉଦ୍‌ବୋଧନ ଦେଇଛନ୍ତି। ଜଳବାୟୁକୁ ନେଇ କଥା କହିବା ସମୟ ଅତିବାହିତ ହୋଇଯାଇଛି। ଏବେ କାମ କରିବା ସମୟ ଆସିଛି। ବିଶ୍ୱ ନେତାମାନେ ସେମାନଙ୍କ ମନୋଭାବରେ ପରିବର୍ତ୍ତନ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାରତ ଏହାର ଅଣଜୀବାଶ୍ମ ଇନ୍ଧନ ଉତ୍ପାଦନ ୪୦୦ ଗିଗାଓ୍ବାଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ପ୍ୟାରିସ୍‌ ଜଳବାୟୁ ଚୁକ୍ତିନାମା ଅନୁଯାୟୀ ଭାରତ ଏବେ ୧୭୫ ଗିଗାଓ୍ବାଟ ଅଣଜୀବାଶ୍ମ ଇନ୍ଧନ ଉତ୍ପାଦନ ଲକ୍ଷ୍ୟ ରଖିଥିତ୍ବାବେଳେ ୨୦୨୨ ବେଳକୁ ଏହାକୁ ୪୦୦ ଗିଗାଓ୍ବାଟରେ ପହଞ୍ଚାଇବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମୋଦି ବିଶ୍ୱ ନେତାମାନଙ୍କୁ କହିଛନ୍ତି।
ସୂଚନାଯୋଗ୍ୟ, ପ୍ୟାରିସ୍‌ ଚୁକ୍ତିନାମାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨୦୧୭ରେ ଓହରିଯାଇ ସେତେବେଳର ନିଷ୍ପତ୍ତି ପାଇଁ ଭାରତ ଓ ଚାଇନାକୁ ଦାୟୀ କରିଥିଲେ। ଉକ୍ତ ଚୁକ୍ତିନାମାରୁ ଫାଇଦା ଉଠାଉଥିବା ଦେଶଗୁଡିକ ପାଇଁ ଆମେରିକାକୁ ପୈଠ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ଟ୍ରମ୍ପ୍‌ ସେତେବେଳେ ଅଭିଯୋଗ କରିଥିଲେ।
ଜଳବାୟୁ ପରିବର୍ତ୍ତନ ଜନିତ ଗୁରୁତର ଚ୍ୟାଲେଞ୍ଜକୁ ଅତିକ୍ରମ କରିବାକୁ ହେଲେ ଆମକୁ କଠିନ ନିଷ୍ପତ୍ତି ନେବାକୁ ହେବ। ଏପର୍ଯ୍ୟନ୍ତ ଆମେ ଯାହା କରିଛେ ତାହା ଯଥେଷ୍ଟ ନୁହେଁ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ପକ୍ଷରୁ ଆୟୋଜିତ ଜଳବାୟୁ ସମିଟ୍‌ରେ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ବଢ଼ିଚାଲିଛି। ତେବେ ଜରୁରୀ ଏବଂ ଯୁଗାନ୍ତକାରୀ ପଦକ୍ଷେପ ନେଲେ ଏହାର ବିପଜ୍ଜନକ ପରିଣାମକୁ ପ୍ରତିହତ କରାଯାଇପାରିବ। ସେଥିପାଇଁ ଏବେ ବି ସମୟ ଅଛି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି।

ମୋଦିଙ୍କ ଭାଷଣ ଶୁଣିବାକୁ ପହଞ୍ଚତ୍ଲେ ଟ୍ରମ୍ପ୍‌

ଜାତିସଂଘରେ ସୋମବାର ଜଳବାୟୁ ସମିଟ୍‌ ଜାଲିଥିବାବେଳେ କୌଣସି କାର୍ଯ୍ୟସୂଚୀ ନ ଥାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହଠାତ ସେଠାରେ ପହଞ୍ଚତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଶୁଣିଥିଲେ। ୧୦ ମିନିଟ ମୋଦିଙ୍କ ଭାଷଣ ଶୁଣିବା ପରେ ଟ୍ରମ୍ପ୍‌ ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ଯିବା ପୂର୍ବରୁ ସେ ଜର୍ମାନ ଚାନ୍‌ସେଲର ଆଞ୍ଜେଲା ମର୍କେଲଙ୍କ ଭାଷଣ ମଧ୍ୟ କିଛି ସମୟ ଶୁଣିଥିଲେ।

Share