Categories: ଜାତୀୟ

ଏବେ ସମାନ ନାଗରିକ ସଂହିତା ପାଳି

ନୂଆଦିଲ୍ଲୀ,୧୦।୧୧: ଭାଜପାର ନିର୍ବାଚନ ପ୍ରତିଶ୍ରୁତି ପାଳନ ଧାରା ଜାରି ରହିଛି। ତିନି ତଲାକ୍‌ ପରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହୋଇଥିଲା। ଏହାପରେ ଅଯୋଧ୍ୟା ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ହୋଇଛି। ଏବେ ଭାଜପା ଦେଶର ସମାନ ନାଗରିକ ସଂହିତା(ୟୁନିଫର୍ମ ସିଭିଲ୍‌ କୋଡ୍‌) ଲାଗୁ ଉପରେ କାର୍ଯ୍ୟ କରିବାର ଅନୁମାନ କରାଯାଉଛି। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ସାକ୍ଷାତ୍‌କାର ଅବସରରେ ସୂଚନା ଦେଇଛନ୍ତି। ଏହାଦ୍ୱାରା ଦେଶର ସମସ୍ତ ନାଗରିକଙ୍କ ପାଇଁ ସମାନ ଆଇନ ବ୍ୟବସ୍ଥା ଲାଗୁ ହେବ। ସମ୍ପ୍ରତି ହିନ୍ଦୁ, ମୁସଲମାନ୍‌, ଖ୍ରୀଷ୍ଟିଆନ୍‌, ପାର୍ସିଙ୍କ ପାଇଁ ଭିନ୍ନ ଭିନ୍ନ ଆଇନ ବ୍ୟବସ୍ଥା ରହିଛି। ବିବାହ, ଛାଡପତ୍ର, ସମ୍ପତ୍ତି ତଥା ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ଭିନ୍ନ ଭିନ୍ନ ଆଇନ ବ୍ୟବସ୍ଥା ରହିଛି। ତେବେ ହିନ୍ଦୁ, ଶିଖ୍‌, ଜୈନ, ବୌଦ୍ଧ ଆଦି ହିନ୍ଦୁ ଆଇନ ଅନ୍ତର୍ଭୁକ୍ତ ହୋଇଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୪୪ ସମାନ ନାଗରିକ ସଂହିତା ଉପରେ ପର୍ଯ୍ୟବେସିତ। ନଭେମ୍ବର ୧୫ରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଡି.ଏନ୍‌. ପଟେଲ୍‌ ଏବଂ ବିଚାରପତି ସି,ହରିଶଙ୍କର ସମାନ ନାଗରିକ ସଂହିତା ନେଇ ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି କରିବେ।

Share