Categories: ଜାତୀୟ

ଏବେ ସାଧାରଣ ଲୋକେ ବୁଲିପାରିବେ ସିଆଚିନ ଗ୍ଲାସିୟର

ଲେହ,୨୪।୯: ବିଶ୍ୱର ସବୁଠାରୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ହେଉଛି ସିଆଚିନ ଗ୍ଲାସିୟର। ଯେଉଁଠାରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା। ସିଆଚିନ୍‌ ବେସ୍‌ କ୍ୟାମ୍ପର ଉଚ୍ଚତା ୧୬ରୁ ୨୦ ହଜାର ଫୁଟ ରହିଥିବା ବେଳେ ସେଠାରେ ଯବାନଙ୍କୁ ମୁତୟନ କରାଯାଇଛି। ଏହି ସ୍ଥାନକୁ ଆଖପାଖ ଅଞ୍ଚଳର ଲୋକଙ୍କୁ ଛାଡିଦେଲେ ବାହାର ଲୋକଙ୍କୁ ଏଠାକୁ ଯିବା ପାଇଁ ସେନା ପକ୍ଷରୁ ଅନୁମତି ଦିଆଯାଇ ନ ଥାଏ। ହେଲେ ଏବେ ଉକ୍ତ ସ୍ଥାନକୁ ପରିଦର୍ଶନ କରିପାରିବେ ସାଧାରଣ ଲୋକେ। ଏନେଇ ଭାରତୀୟ ସେନା ବିଚାର କରୁଥିବା ଜଣାପଡ଼ିଛି। ନିକଟରେ ସିଆଚିନ ଗସ୍ତ କରିଥିବା ସେନା ମୁଖ୍ୟ ବିପିନ ରାଓ୍ବତ ଏନେଇ ବିଚାର ବିମର୍ଶ କରାଯାଉଛି ବୋଲି କହିଥିଲେ। ତେବେ ସାଧାରଣ ଲୋକଙ୍କ ପାଇଁ ଏହି ଅଞ୍ଚଳ ଖୁବ୍‌ଶୀଘ୍ର ଖୋଲାଯିବ ବୋଲି କୁହାଯାଉଛି। ଏହି ଅଞ୍ଚଳ ଖୋଲାଯିବାର ମୂଳ ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକେ ସେନାଙ୍କ ଜୀବନ ସହ ଯୋଡି ହେବା ସହିତ କେତେ କଷ୍ଟରେ ସେମାନେ ସିଆଚିନରେ ମୁତୟନ ହୋଇଛନ୍ତି ତାହା ଜାଣିପାରିବେ। ଏହି ଅଞ୍ଚଳର ତାପମାତ୍ରା ମାଇନସ୍‌ ୫୦ ଡିଗ୍ରୀ ରହୁଥିବା ବେଳେ କିଭଳି ସେନା ଏଠାରେ ମୁତୟନ ହୋଇ ଭାରତ ସୀମାର ସୁରକ୍ଷା କରୁଛନ୍ତି ତାହା ଦେଖିବା ସହ ଅନୁଭବ ମଧ୍ୟ କରିପାରିବେ ଲୋକେ। ସୂଚନାଯୋଗ୍ୟ, ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା ହେବା ପରେ ଏଠାକାର ପ୍ରଶାସନ ଏବେ କେନ୍ଦ୍ର ସରକାରଙ୍କ ଅଧୀନରେ ରହିବ।

Share