Categories: ବାଣିଜ୍ୟ

ଏଭରେଡିକୁ କିଣିବ ଡ୍ୟୁରାସେଲ୍‌

ନୂଆଦିଲ୍ଲୀ,୧୦-୯: ଋଣରେ ବୁଡ଼ି ରହିଥିବା ଦେଶର ଶୀର୍ଷ ବ୍ୟାଟେରୀ କମ୍ପାନୀ ଏଭରେଡିକୁ ଆମେରିକା କମ୍ପାନୀ ଡ୍ୟୁରାସେଲ୍‌ କିଣିବାକୁ ଯାଉଛି। ବିଶ୍ୱର ଶୀର୍ଷ ଧନୀଙ୍କ ମଧ୍ୟରେ ପରିଗଣିତ ଓ୍ବାରେନ ବଫେଙ୍କ କମ୍ପାନୀ ଓ୍ବର୍କଶାୟର ହ୍ୟାଥ୍‌ଓ୍ବେର ଏକ ସହଯୋଗୀ କମ୍ପାନୀ ଡ୍ୟୁରାସେଲ୍‌ ଇଙ୍କ୍‌ ବି.ଏମ୍‌ ଖୈତାନଙ୍କ ଫ୍ଲାଗ୍‌ସିପ୍‌ କମ୍ପାନୀ ଏଭରେଡି ଇଣ୍ଡଷ୍ଟ୍ରିଜ୍‌ର ବ୍ୟାଟେରୀ ଓ ଫ୍ଲାଶ୍‌ଲାଇଟ୍‌ ବ୍ୟବସାୟକୁ କିଣିବ। ଏହି କିଣିବା ଦୌଡରେ ଡ୍ୟୁରାସେଲ୍‌ ଏନର୍ଜାଇଜର ହୋଲ୍ଡିଙ୍ଗ୍ସକୁ ପଛରେ ପକାଇ ଦେଇଛି। ସୂଚନାଥାଉ କି, ଋଣ ବୋଝ ଯୋଗୁ ଦେଶର କେତେକ ଶୀର୍ଷ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌, କିଙ୍ଗ୍‌ଫିଶର୍‌ ଏୟାରଲାଇନ୍ସ, ରିଲାଏନ୍ସ ଟେଲିକମ୍‌ ପ୍ରମୁଖଙ୍କ ଅଣ୍ଟା ଭାଙ୍ଗି ଗଲାଣି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଡ୍ୟୁରାସେଲ୍‌ ୧୬୦୦ରୁ ୧୭୦୦ କୋଟି ଟଙ୍କାରେ ଏଭରେଡିକୁ କିଣିବ। କମ୍ପାନୀର କାରଖାନା, ଯୋଗାଣ ନେଟ୍‌ଓ୍ବର୍କ ଏବଂ ଏଭରେଡି ବ୍ରାଣ୍ଡ୍‌କୁ ଆମେରିକା କମ୍ପାନୀ କିଣିବ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ସମ୍ପୂର୍ଣ୍ଣ ଭାବେ ନଗଦରେ ହେବାକୁ ଥିବା ଏହି ସ୍ଲମ୍ପ ସେଲ୍‌ ଡିଲ୍‌କୁ ନେଇ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଖୁବଶୀଘ୍ର ଏ ସମ୍ପର୍କରେ ଘୋଷଣା କରାଯିବ। ଏହି କିଣାବିକା ଯୋଗୁ ଏଭରେଡି ଏହାର ଋଣ ପରିଶୋଧ କରିବାକୁ ସୁଯୋଗ ପାଇବ। ସୂଚନାଥାଉ କି, ଏଭରେଡି ସହ ଉଭୟ ଡ୍ୟୁରାସେଲ୍‌ ଏବଂ ଏନର୍ଜାଇଜରର ଆଲୋଚନା ଚାଲିଥିଲା। ଆମେରିକ ଓ ଚାଇନା ବଜାର ପାଇଁ ଏଭରେଡି ବ୍ରାଣ୍ଡ ଅଧିକାର ଏନର୍ଜାଇଜର ନିକଟରେ ରହିଛି। ଉଲ୍ଲେଖ କରାଯାଇପାରେ ଯେ, ସ୍ଲମ୍ପ ସେଲ୍‌ରେ ବିକ୍ରି କରାଯାଉଥିବା ସମ୍ପତ୍ତିକୁ ବିଭିନ୍ନ ଅଂଶରେ ସ୍ବତନ୍ତ୍ର ଭାବେ ମୂଲ୍ୟାଙ୍କନ କରାଯାଇ ନ ଥାଏ।

Share