Categories: ଜାତୀୟ

ଏଭଳି ଥିଲା କେଜ୍‌ରିଓ୍ବାଲଙ୍କ ରାଜନୈତିକ ଯାତ୍ରା

ନୂଆଦିଲ୍ଲୀ,୨୨।୩: ମଦ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁରୁବାର ଗିରଫ କରିଛି। ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ରାଜନୈତିକ ଯାତ୍ରା ୨୦୧୨ରେ ଆରମ୍ଭ ହୋଇଥିଲା ଏବଂ ସେ ୨୦୧୩ରେ ପ୍ରଥମ ଥର ପାଇଁ ଏକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହା ପରେ ସେ ୨୦୧୪ ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶର ବାରାଣସୀ ଲୋକ ସଭା ଆସନରୁ ତାଙ୍କର ପ୍ରଥମ ଲୋକ ସଭା ନିର୍ବାଚନ ଲଢିଥିଲେ। ଏହି ନିର୍ବାଚନରେ କେଜ୍‌ରିଓ୍ବାଲ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିଦ୍ୱନ୍ଦିତା କରିଥିଲେ। ସେତେବେଳେ ମୋଦି ପ୍ରଥମ ଥର ପାଇଁଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ସେ ବାରାଣସୀ ଆସନରୁ ମଧ୍ୟ ପ୍ରାର୍ଥୀ ହୋଇଥିଲେ। ତେବେ କେଜ୍‌ରିଓ୍ବାଲ ବାହ୍ୟ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କୁ କଡା ଟକ୍କର ଦେଇଥିଲେ। ଆଉ ସଂଘର୍ଷ କରି ୨ ଲକ୍ଷରୁ ଅଧିକ ଭୋଟ ପାଇଥିଲେ।

ବାରାଣସୀରେ ପରାଜୟ ପରେ ଅରବିନ୍ଦ କେଜ୍‌ରିଓ୍ବାଲ ଆଉ କୌଣସି ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ନଥିଲେ। ୨୦୧୪ ନିର୍ବାଚନରେ କେଜ୍‌ରିଓ୍ବାଲ ବାରାଣାସୀ ଲୋକ ସଭା ଆସନରୁ ୨ ଲକ୍ଷ ୯ ହଜାର ୩୧୮ ଭୋଟ ପାଇଥିଲେ।

ଆନ୍ନା ଆନ୍ଦୋଳନ ପରେ କେଜ୍‌ରିଓ୍ବାଲ ୨୦୧୨ରେ ତାଙ୍କ ଦଳ ଗଠନ କରିଥିଲେ ଏବଂ ୨୦୧୩ରେ ପ୍ରଥମ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ନିର୍ବାଚନରେ ତାଙ୍କ ଦଳ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିଲା ଏବଂ ସେ କଂଗ୍ରେସ ସହ ମିଳିତ ଭାବରେ ୪୯ ଦିନ ସରକାର ଚଳାଇଥିଲେ। ତା’ପରେ ୨୦୧୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଉ ସେତେବେଳେ ଆମ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ଏବଂ ଭାଜପା ସଦସ୍ୟଙ୍କ ସଂଖ୍ୟା ମଧ୍ୟ ଦୁଇ ଅଙ୍କ ଅତିକ୍ରମ କରିପାରି ନ ଥିଲା। ଏହା ବ୍ୟତୀତ ଦିଲ୍ଲୀରେ କଂଗ୍ରେସ ଜିରୋ ହୋଇଯାଇଥିଲା।

 

Share