Categories: ଫୁରସତ

ଏମିତି ଏକ ଗାଁ, ଯେଉଁଠି ଅଧିବାସୀଙ୍କଠାରୁ ପଶୁପକ୍ଷୀ ସମସ୍ତେ ଅନ୍ଧ

ବିଶ୍ୱରେ ଅନେକ ରହସ୍ୟମୟ ସ୍ଥାନ ରହିଛି, ଯାହା ବିଷୟରେ ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗିଥାଏ। ଠିକ୍‌ ସେହିପରି ମେକ୍ସିକୋରେ ଏମିତି ଏକ ଗାଁ ରହିଛି ଯେଉଁଠି ଲୋକଙ୍କଠାରୁ ଆରମ୍ଭ କରି ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ। ଏହି ଗ୍ରାମର ନାମ ଟିଲ୍‌ଟେପେକ୍‌। ଏହାକୁ ଅନ୍ଧଙ୍କ ଗାଁ କହିଲେ କିଛି ଭୁଲ ହେବ ନାହିଁ। ଏହା ପଛରେ ଏକ ଭିନ୍ନ କାରଣ ମଧ୍ୟ ରହିଛି। ଏହି ଗାଁରେ ଯୋପୋଯେକ ଜନଜାତିର ଲୋକେ ବସବାସ କରନ୍ତି। ଏଠାରେ ଶିଶୁ ଜନ୍ମ ହେବା ସମୟରେ ସମ୍ପୂର୍ଣ୍ଣ ସୁସ୍ଥ ଥାଏ। ମାତ୍ର କିଛି ଦିନ ପରେ ତା’ର ଆଖିକୁ କିଛି ଦେଖାଯାଇ ନ ଥାଏ। ଗ୍ରାମରେ ଥିବା ଏକ ଅଭିଶପ୍ତ ଗଛ ଏହାର ମୁଖ୍ୟ କାରଣ। ଲାଭାଜୁଏଲା ନାମକ ଏହି ଗଛକୁ ଦେଖିବା ପରେ ମଣିଷଠାରୁ ଆରମ୍ଭକରି ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ ହୋଇଯାନ୍ତି ବୋଲି ସେମାନଙ୍କର ବିଶ୍ୱାସ ରହିଛି। ମାତ୍ର ବୈଜ୍ଞାନିକ ମତରେ, ଏହି ଗାଁ ଲୋକଙ୍କ ଅନ୍ଧତ୍ୱ ପଛର କାରଣ ହେଉଛି ଏକ ବିଷାକ୍ତ ମାଛି। ଏହି ମାଛି କାମୁଡ଼ିବା ଦ୍ୱାରା ଲୋକେ ଅନ୍ଧ ହୋଇଯାନ୍ତି। ଟିଲ୍‌ଟେପେକ୍‌ ଗାଁରେ ୭୦ଟି ଝୁପୁଡ଼ି ଘରେ ପ୍ରାୟ ୩୦୦ ଲୋକ ବସବାସ କରନ୍ତି। ଏଠାରେ କୌଣସି ଘରେ କବାଟ ବା ଝରକା ମଧ୍ୟ ନାହିଁ। ତେବେ ଏଠାକାର ଅଳ୍ପ କେତେକ ଲୋକଙ୍କୁ ଦେଖାଯାଇଥାଏ। ଯାହା ଦ୍ୱାରା ଅନ୍ୟ ଲୋକମାନେ ଏଠାରେ ଚଳିପାରନ୍ତି ବୋଲି ମଧ୍ୟ କୁହାଯାଉଛି।

Share