ଏମିତି ଏକ ଦେଶ, ଯେଉଁଠି କରୋନା ପାଇଁ ନାହିଁ କୌଣସି ପ୍ରତିବନ୍ଧକ

ମହାମାରୀ କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଚାଲିଛି। ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଲକ୍ଷାଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ କେତେକ ଦେଶର ସରକାର ଲକ୍‌ଡାଉନ୍‌ ଘୋଷଣା ମଧ୍ୟ କରିଛନ୍ତି। କିନ୍ତୁ ଏମିତି ଏକ ଦେଶ ଅଛି, ଯେଉଁଠି ଏହି ଭାଇରସ୍‌ ସହ ଲଢ଼ିବା ପାଇଁ ଜନସାଧାରଣଙ୍କ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ। ଏପରି ଦେଶ ହେଉଛି ୟୁରୋପ ମହାଦେଶର ବେଲାରସ୍‌। ଏଠାରେ ମହାମାରୀ କରୋନା ମୁକାବିଲା ପାଇଁ କୌଣସି କଠୋର ପଦକ୍ଷେପ ନିିଆଯାଇନାହିଁ। ସମସ୍ତ କାର୍ଯ୍ୟ ପୂର୍ବପରି ଜାରି ରହିଛି। ଦେଶର ସୀମା ଖୋଲା ଥିବା ବେଳେ ଲୋକେ କାମ କରିବାକୁ ମଧ୍ୟ ଯାଉଛନ୍ତି।
ବେଲାରସ୍‌ର ରାଷ୍ଟ୍ରପତି ଆଲେକ୍‌ଜାଣ୍ଡାର ଲୁକାଶେଙ୍କୋ କହିଛନ୍ତି, ବର୍ତ୍ତମାନ କରୋନା ପାଇଁ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ନାହିଁ। ଚାଇନାର ରାଷ୍ଟ୍ରଦୂତଙ୍କୁ ଭେଟିବା ପରେ ସେ କହିଛନ୍ତି, ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ଅନୁଚିତ। ସେ କହିଛନ୍ତି, କରୋନା ଭୂତାଣୁକୁ ଏକ ଟ୍ରାକ୍ଟର ଅଟକାଇ ପାରିବ। ଆହୁରି ମଧ୍ୟ କହିଛନ୍ତି, ସେ ନିଜେ ମଦ୍ୟପାନ କରନ୍ତି ନାହିଁ, ମାତ୍ର କରୋନା ରୋକିବା ପାଇଁ ସେ ଏକ ସିପ୍‌ ଭୋଡା ପିଇପାରିବେ।
କରୋନା ଭୂତାଣୁ ବ୍ୟାପୁଥିବା ବିଷୟରେ ବେଲାରସ୍‌ର ନାଗରିକମାନେ ଅବଗତ ଅଛନ୍ତି। କାରଣ ବିଦେଶରୁ ବେଲାରସ୍‌କୁ ଆସୁଥିବା ସମସ୍ତ ଲୋକଙ୍କ ପରୀକ୍ଷା କରାଯାଉଛି। ସେମାନଙ୍କର ସମସ୍ତ ରିପୋର୍ଟ ନେଗେଟିଭ୍‌ ଆସୁଛି। ଏପରି ପରିସ୍ଥିତିରେ ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ବି ପଠାଯାଉଛି। ସପ୍ତାହ ଦୁଇ ସପ୍ତାହ ପରେ ମୁକ୍ତ କରାଯାଉଛି। ଏଣୁ ଏହି ଭୂତାଣୁ ନେଇ ଚିନ୍ତା କରିବାର କିଛି କାରଣ ନାହିଁ ବୋଲି ଲୁକାଶେଙ୍କୋ କହିଛନ୍ତି।

Share