ଏମିତି ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର: ଅସୁରକ୍ଷିତ ପରିବେଶରେ ପାଠପଢା

ସଜନାଗଡ଼, ୨୮।୮(ଡି.ଏନ.ଏ.)-ଶିଶୁଙ୍କ ମୂଳଦୂଆ ସୁରକ୍ଷିତ ଭାବେ ଗଢିବା ଲାଗି ସରକାର ଅଙ୍ଗନଓ୍ବାଡି କେନ୍ଦ୍ର ମାଧ୍ୟମରେ ବିଭିନ୍ନ ଯୋଜନାରେ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ତାହା ବାସ୍ତବରେ ଫଳପ୍ରଦ ହୋଇପାରୁନାହିଁ। ସରକାରୀ କଳର ଉଦାସୀନତା ଯୋଗୁ ଶିଶୁମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ନୀଳଗିରି ଉପଖଣ୍ଡ ଅଧୀନ ନରସିଂହପୁର ପଞ୍ଚାୟତ ବଇଞ୍ଚା ଅଙ୍ଗନୱାଡ଼ି କେନ୍ଦ୍ରରେ ଏଭଳି ଚିତ୍ର ଦେଖିବାକୁ ମିଳେ।
ଏହି ଅଙ୍ଗନୱାଡ଼ି କେନ୍ଦ୍ର ଦୀର୍ଘଦିନ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଯେଉଁ କୋଠରିରେ ଶିଶୁଙ୍କୁ ଶିକ୍ଷାଦାନ କରାଯାଉଛି, ସେଠାରେ ହିଁ ରୋଷେଇ ପାଇଁ ଜାଳେଣି ଜମା କରି ରଖାଯାଉଛି। ଘର ଭିତରେ ଜାଳେଣି ଜମା କରାଯିବା ଯୋଗୁ ସେଥିରେ ଅନେକ ସମୟରେ ସାପ, ବେଙ୍ଗ ଭଳି ଜୀବଜନ୍ତୁ ମଧ୍ୟ ଦେଖିବାକୁ ମିଳୁଛି। ଏହି କେନ୍ଦ୍ରରେ ରୋଷେଇ ଘର ସୁବିଧା ନ ଥିବାରୁ ଘର ପିଣ୍ଡାରେ ରୋଷେଇ କରାଯାଉଛି। ସେହିଠାରେ ପିଲାମାନେ ବସି ଖାଦ୍ୟ ଖାଉଛନ୍ତି। ଦୁଃଖର ବିଷୟ ଯେ, ଏହି କେନ୍ଦ୍ରରେ ମଙ୍ଗଳବାରଠାରୁ ଗତ ୫ଦିନ ହେଲା ଚାଉଳ ନ ଥିବାରୁ ରୋଷେଇ ବନ୍ଦ ରହିଛି। ଅଙ୍ଗନୱାଡ଼ି କର୍ମୀ କେନ୍ଦ୍ରରେ ଚାଉଳ ନାହଁି ବୋଲି କହି ରୋଷେଇ ବନ୍ଦ କରି ଦେଇଛନ୍ତି। ଅଭିଭାବକମାନେ ପୂର୍ବରୁ ଏ ସମ୍ପର୍କରେ ପ୍ରଶାସନକୁ ଜଣାଇଥିବା ବେଳେ ମଙ୍ଗଳବାର ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି କେନ୍ଦ୍ରରେ ତାଲା ଝୁଲିବା, କେନ୍ଦ୍ରରୁ ପିଲା ଆସି ଫେରିଯିବା ସମ୍ପର୍କରେ ଅବଗତ କରାଇଥିଲେ। କେନ୍ଦ୍ର ପାଖରେ ରହୁଥିବା ଅଙ୍ଗନୱାଡ଼ି ପାଚିକା କର୍ମୀ ସୁବର୍ଣ୍ଣା ମାଝି ଚାଉଳ ନ ଥିବା ଯୋଗୁ ଖାଦ୍ୟ ଦିଆଯାଇନାହଁି ବୋଲି ସ୍ବୀକାର କରିଥିଲେ। ଅନ୍ୟପକ୍ଷରେ କିଛିଦିନ ପୂର୍ବରୁ ଗ୍ରାମବାସୀଙ୍କ ବହୁ ଅନୁରୋଧ ପରେ ସରକାରଙ୍କ ତରଫରୁ ଅଙ୍ଗନୱାଡ଼ି ଘର ନିର୍ମାଣ ଲାଗି ଅଟକଳ ହୋଇଥିଲା। ଏହି ଅର୍ଥରେ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲେ ମଧ୍ୟ ଅଧାକାମ ହୋଇରହିଛି। କାମ ଯେତେ ହୋଇଛି ତା’ ଠାରୁ ଅଧିକ ଟଙ୍କା ଖର୍ଚ୍ଚ ହେବାରୁ କାମ ବନ୍ଦ ରହିଛି। ଏ ସମ୍ପର୍କରେ ନୀଳଗିରି ବ୍ଲକ ପରିସରରେ ଅଙ୍ଗନୱାଡ଼ି ସୁପରଭାଇଜର ଜୟନ୍ତୀ କରଙ୍କୁ ପଚାରିବାରୁ ମୁଁ ନୂଆ କରି ଏଠାକୁ ଆସିଛି। ମୋତେ ଏ ବିଷୟରେ କିଛି ଜଣା ନାହଁି। ଏ ସମ୍ପର୍କରେ ସିଡ଼ିପିଓଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।

Share