ଏମିତି ଚାଲିଛି ସ୍ବାସ୍ଥ୍ୟସେବା: ୪ଘଣ୍ଟା ଯାଏ ଆସିଲାନି ଆମ୍ବୁଲାନ୍ସ, ଦୁର୍ଘଟଣାରେ ଯୁବକ ଗୁରୁତର

ଆନନ୍ଦପୁର,୧୩।୭(ସ୍ବ.ପ୍ର.)-ରାଜ୍ୟରେ ସ୍ବାସ୍ଥ୍ୟସେବା ଦିନକୁ ଦିନ ବିଗିଡିବାରେ ଲାଗିଛି। କେଉଁଠି ଆମ୍ବୁଲାନ୍ସ ପହଞ୍ଚିି ନ ପାରି ଅଧା ରାସ୍ତାରେ ପ୍ରସୂତି ପ୍ରସବ କରୁଛନ୍ତି ତ କେଉଁଠି ଖଟିଆରେ କିମ୍ବା ଅନ୍ୟ କୌଣସି ଉପାୟରେ ରୋଗୀମାନଙ୍କୁ ଡାକ୍ତରଖାନାକୁ ନିଆଯାଉଥିବାର ଘଟଣା ଅନେକ ସମୟରେ ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି। ଏଭଳି ଏକ ଘଟଣା ଶୁକ୍ରବାର ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛିା। ଦୀର୍ଘ ୪ ଘଣ୍ଟା ଧରି ଆମ୍ବୁଲାନ୍ସର ଦେଖା ନ ମିଳିବାରୁ ଜଣେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ଜୀବନ ଯାଇଥିବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ,୨୦ ନଂ ଜାତୀୟ ରାଜପଥ ଉପରେ ସଂଧ୍ୟା ୬ଟା ସମୟରେ ଜଣେ ବାଇକ୍‌ ଆରୋହୀଙ୍କର ଏକ ଦଶଚକିଆ ଟ୍ରକ୍‌ ସହ ଧକ୍କା ହୋଇଥିଲା। ବାଇକ୍‌  ପଣ୍ଡାପଡା ଅଞ୍ଚଳର ନାୟକ ମୁମୂର୍ଷୁ ଅବସ୍ଥାରେ ପଡିଥିବାବେଳେ ଜଣେ ସ୍ଥାନୀୟ ଯୁବକ ତାଙ୍କୁ ଉଦ୍ଧାର କରି ବାଇକ୍‌ ଯୋଗେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରଘୁନାଥଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ କଟକ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ। ହେଲେ ଚିକିତ୍ସା ଚାଲିଥିବା ସମୟରେ ଯୁବକଙ୍କର ପରିଚୟ ଜଣାପଡ଼ି ନ ଥିଲା। ଏହାପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରିବାକୁ ଡାକ୍ତର କହିଥିଲେ। କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗରେ ୧୦୮ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ଆମ୍ବୁଲାନ୍ସ ଆସି ନ ଥିଲା। ଏପରିକି ପ୍ରତିନିଧିମାନେ ମେଡିକାଲ ଅଫିସର ଏବଂ ଉପଜିଲାପାଳଙ୍କ ସହିତ ଯୋଗାଯୋଗ କରିଥିଲେ ସୁଦ୍ଧା ଗୁରୁତର ଯୁବକଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇପାରି ନ ଥିଲା। ଶେଷରେ ରାତି ପ୍ରାୟ ୧୦.୨୦ରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ପରେ ପରିବାରଲୋକଙ୍କୁ ଖବର ଦିଆଯାଇଥିଲା। ଘସିପୁରା ପୋଲିସ ମୃତଦେହ ଜବତ କରିବା ସହିତ ଶନିବାର ବ୍ୟବଚ୍ଛେଦ କରାଇବାର ବ୍ୟବସ୍ଥା ଗ୍ରହଣ କରିଛନ୍ତି।

Share