Categories: ଫୁରସତ

ଏମିତି ଦେଶ : ଯେଉଁଠି ନାହିଁ ଏଟିଏମ୍‌, ସିମ୍‌କାର୍ଡ ପାଇଁ ବି ନେବାକୁ ପଡ଼େ ସରକାରଙ୍କ ଅନୁମତି

ଆଜିକାଲି ଗ୍ରାମାଞ୍ଚଳରେ ସମସ୍ତ ସୁବିଧା ଉପଲବ୍ଧ ହେଉଥିବାବେଳେ ଆଫ୍ରିକାର ଇରିଟ୍ରିଆ କିନ୍ତୁ ଆଧୁନିକତାଠାରୁ ବହୁ ଦୂରରେ। ହାତପାହାନ୍ତାରେ ଲୋକେ ସବୁ ସୁବିଧା ପାଉଥିବାବେଳେ ଇରିଟିଆରେ ଏଟିଏମ୍‌ ନାହିଁ। ଖାଲି ଏତିକି ନୁହେଁ, ଏଠାରେ ସରକାରଙ୍କ ନିର୍ଦ୍ଦେଶରେ ସବୁକିଛି କରିବାକୁ ପଡ଼ିଥାଏ। ବ୍ୟାଙ୍କରୁ ଟଙ୍କା ଉଠାଇବାଠାରୁ ଆରମ୍ଭ କରି ସିମ୍‌କାର୍ଡ, ଗାଡ଼ିମୋଟର କିଣା ଏପରି ଟିଭି ଦେଖିବା ପାଇଁ ମଧ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିଥାଏ। ସେହିପରି ସୋସିଆଲ ମିଡିଆ ବ୍ୟବହାର କରିବାକୁ ହେଲେ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇଛି।

୧୯୯୩ ମସିହାରେ ଇରିଟ୍ରିଆ ଇଥିୟୋପିଆଠାରୁ ସ୍ବାଧୀନତା ପାଇଥିଲା। ଇରିଟ୍ରିଆରେ ଏରିଟେଲ୍‌ ନାମକ ଏକମାତ୍ର ଟେଲିକମ୍‌ କମ୍ପାନୀ ରହିଛି। ଯାହାକୁ ସେଠାକାର ସରକାର ନିୟନ୍ତ୍ରଣ କରୁଛନ୍ତି। ଏହା ଠିକ୍‌ରେ ମଧ୍ୟ ସେବା ଯୋଗାଇ ପାରୁନାହିଁ। ଅନ୍ତର୍ଜାତୀୟ ଟେଲିକମ୍ୟୁନିକେଶନ ସଂଘର ରିପୋର୍ଟ ଅନୁସାରେ, ଏଠାରେ ମାତ୍ର ୧ ପ୍ରତିଶତ ଇଣ୍ଟରନେଟ୍‌ ବ୍ୟବହାର କରାଯାଏ। ଏପରିକି ମୋବାଇଲ ସିମ୍‌ କାର୍ଡ ପାଇଁ ମଧ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିଥାଏ। ସ୍ଥାନୀୟ ପ୍ରଶାସନର ମଞ୍ଜୁରୀ ପରେ ସିମ୍‌କାର୍ଡ ମିଳିଥାଏ। ଅଲଗା ଦେଶର ଲୋକେ ପହଞ୍ଚିଲେ ସେମାନଙ୍କୁ ଏହି ଦେଶର ଅସ୍ଥାୟୀ ସିମ୍‌କାର୍ଡ ନେବା ପାଇଁ ଆବେଦନ କରିବାକୁ ପଡ଼େ। ଦେଶ ଛାଡ଼ିଲେ ସିମ୍‌ କାର୍ଡ ଫେରାଇବାକୁ ପଡ଼େ। ଏପରି ଆହୁରି ଅନେକ ନିୟମ ରହିଛି। ଗୋଟିଏ ମାସରେ ବ୍ୟାଙ୍କରୁ ୨୩ ହଜାରରୁ ଅଧିକ ଟଙ୍କା ଉଠାଇ ହେବ ନାହିଁ ବୋଲି କଟକଣା ରହିଛି। ଗାଡ଼ିଟିଏ କିଣିବାକୁ ହେଲେ ୧୧ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼େ।


ସରକାର ଏପରି ନିୟମ କରିଥିବାର କାରଣ ମଧ୍ୟ ରହିଛି। ଦରଦାମ୍‌ ନିୟନ୍ତ୍ରଣ ପାଇଁ ଏପରି କରାଯାଇଛି। ଏଥିସହିତ ଲୋକେ ସଞ୍ଚୟ କରିବା ମଧ୍ୟ ଶିଖିବେ। କିଛି ଲୋକ ସରକାରଙ୍କ ଏପରି କଟକଣାକୁ ପସନ୍ଦ କରୁ ନ ଥିବାବେଳେ ଆଉ କିଛି ମାନି ଚଳିଥାନ୍ତି।

Share