Categories: ଫୁରସତ

ଏମିତି ମନ୍ଦିର, ଯେଉଁଠି ବ୍ୟବହୃତ ହୋଇନି ଲୁହା

ହରିୟାଣା: ଉତ୍ତରଭାରତର ଅମ୍ବାଲା ସିଟିର ଗୀତା ନଗରୀରେ ଜୈନ ମୁନି ବିଜୟ ଇନ୍ଦ୍ରଦ୍ୟୁମ୍ନ ସୁରେଶ୍ଚରଙ୍କ ସ୍ମୃତିରେ ଭିନ୍ନ ଧରଣର ଏକ ଗୋଲାକାର ମନ୍ଦିର ନିର୍ମାଣ କରାଯାଇଛି। ଏହି ମନ୍ଦିରର ବିଶେଷତ୍ୱ ହେଲା ଏଥିରେ କେବଳ ମାର୍ବଲ ବ୍ୟବହାର କରାଯାଇଛି। ଆଦୌ ଲୁହାର ବ୍ୟବହାର କରାଯାଇନାହିଁ। ଏପରିକି ଲୁହା କଣ୍ଟାଟିଏ ମଧ୍ୟ ବ୍ୟବହାର କରାଯାଇନାହିଁ। ପୁରାତନ ଭାରତୀୟ ଶୈଳୀରେ ଏହା ନିର୍ମିତ ହୋଇଛି। ଏଠାରେ ୩୬ଟି ଗମ୍ବୁଜ ଆକାରର ମନ୍ଦିର ତିଆରି ହୋଇଛି। ନିର୍ମାଣ କାର୍ଯ୍ୟ ୨୦୧୧ ମସିହାରୁ ଆରମ୍ଭ ହୋଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଶେଷ ହୋଇନାହିଁ। ଏହାକୁ କୌଣସି ଆର୍କିଟେକ୍‌ଚର ନିର୍ମାଣ କରିନାହାନ୍ତି। ମୁନି ବିଜୟ ରତ୍ନାକର ସୁରେଶ୍ଚର ହିଁ ନିର୍ମାଣ କରିଛନ୍ତି।
ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରକାଶ, ଅଢ଼େଇ ଏକର ପରିମିତ ଜାଗାରେ ୫୦୦ ବର୍ଗଗଜରେ ଏହି ଗୋଲାକାର ମନ୍ଦିରଟି ନିର୍ମାଣ କରାଯାଉଛି। ଏହାର କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ଏବଂ କେତେ ଟଙ୍କା ବ୍ୟୟ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କାରଣ ସବୁକିଛି ଚାନ୍ଦାରେ ଚାଲିଛି। ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ମନ୍ଦିରରେ ଧର୍ମଶାଳା, ଭୋଜନାଳୟ, ସାଧୁସନ୍ଥଙ୍କ ରହିବା ପାଇଁ ମଧ୍ୟ ଗୃହ ନିର୍ମାଣ କରାଯାଉଛି।

Share