ଏମ୍‌ଏସ୍‌ପି ଓ ଅନ୍ନଦାତା

ଭାଲଚନ୍ଦ୍ର ଷଡ଼ଙ୍ଗୀ

ନିକଟରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗାମୀ ଖରିଫ ଋତୁ ପାଇଁ ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ଦର(ଏମ୍‌ଏସ୍‌ପି) ଘୋଷଣା କରାଯାଇଛି। ସରକାର ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ଘୋଷଣା କରିବା ସହିତ ନୂତନ ଦରକୁ ଫସଲର ଉପତ୍ାଦନ ଖର୍ଚ୍ଚର ୧.୫ ଗୁଣ ବୋଲି ଦାବି କରିଛନ୍ତି। ତେବେ ବାସ୍ତବତା ହେଲା, ସରକାର ବିଭିନ୍ନ ଫସଲର ଯେଉଁ ଉପତ୍ାଦନ ଖର୍ଚ୍ଚକୁ ହିସାବ କରିଛନ୍ତି, ତାହା ଡ. ଏମ୍‌. ଏସ୍‌. ସ୍ବାମୀନାଥନ୍‌ କମିଶନଙ୍କ ସୁପାରିସ ଅନୁଯାୟୀ ହେବା ପରିବର୍ତ୍ତେ ପୁରୁଣା ହିସାବରେ କରାଯାଇଛି, ଯାହାକି ଫସଲର ପ୍ରକୃତ ଉପତ୍ାଦନ ଖର୍ଚ୍ଚଠାରୁ ବହୁତ କମ୍‌ ରହିଛି।
ଦେଶର କୃଷକ ସଙ୍ଗଠନମାନେ ସ୍ବାମୀନାଥନ୍‌ କମିଶନଙ୍କ ସୁପାରିସ ଅନୁଯାୟୀ ସେମାନଙ୍କ ଉପତ୍ାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଧାର୍ଯ୍ୟ କରିବା ତଥା ଏମ୍‌ଏସ୍‌ପିକୁ ନିଶ୍ଚିତ କରିବା ପାଇଁ ଆଇନଗତ ଗ୍ୟାରେଣ୍ଟି ପ୍ରଦାନ କରିବା ଲାଗି ଲଗାତର ଦାବି କରି ଆସିଛନ୍ତି। ଅତୀତରେ ଦିଲ୍ଲୀ ସୀମାନ୍ତରେ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ସଂଗଠିତ ଐତିହାସିକ କୃଷକ ଆନ୍ଦୋଳନର ଏହା ଅନ୍ୟତମ ମୁଖ୍ୟ ଦାବି ରହିଥିଲା। ଏପରି କି ଭାଜପା ୨୦୧୪ ରେ କ୍ଷମତାକୁ ଆସିବା ପୂର୍ବରୁ ସ୍ବାମୀନାଥନ୍‌ଙ୍କ ସୂତ୍ରରେ କୃଷକଙ୍କ ଫସଲର ଉପତ୍ାଦନ ଖର୍ଚ୍ଚର ଦେଢ଼ ଗୁଣ ଏମ୍‌ଏସ୍‌ପି ଆକାରରେ ଦେବ ବୋଲି ନିଜର ଇସ୍ତାହାରରେ ଘୋଷଣା କରିଥିଲା। କିନ୍ତୁ ଗତ ଦଶବର୍ଷର ଶାସନ କାଳରେ କୃଷକଙ୍କ ଦାବି ମୁତାବକ ଏମ୍‌ଏସ୍‌ପିକୁ ଆଇନଗତ ମାନ୍ୟତା ଦିଆଯାଇନାହିଁ। ଅତଏବ ଘୋଷଣା କରାଯାଇଥିବା ଫସଲର ଏମ୍‌ଏସ୍‌ପିକୁ ଉପତ୍ାଦନ ଖର୍ଚ୍ଚର ଦେଢ଼ ଗୁଣ ବୋଲି ଯାହା ଦାବି କରାଯାଇଛି, ତାହା ସ୍ବାମୀନାଥନ୍‌ କମିଶନଙ୍କ ସୂତ୍ର ଅନୁସାରେ ଆଦୌ ନୁହେଁ।
ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ଦ୍ୱାରା ଗଠିତ ‘କମିଶନ୍‌ ଫର୍‌ ଏଗ୍ରିକଲଚର୍‌ କଷ୍ଟ୍‌ ଏଣ୍ଡ୍‌ ପ୍ରାଇସ୍‌’ (ସିଏସିପି)ର ସୁପାରିସ ଅନୁଯାୟୀ କେନ୍ଦ୍ର ସରକାର ପ୍ରତିବର୍ଷ ଖରିଫ ଓ ରବି ଋତୁ ପୂର୍ବରୁ ବିଭିନ୍ନ ଫସଲର ଦୁଇଥର ଏମ୍‌ଏସ୍‌ପି ଘୋଷଣା କରିଥାନ୍ତି। ସାଧାରଣତଃ ଫସଲର ଉପତ୍ାଦନ ଖର୍ଚ୍ଚକୁ ହିସାବ କରି ତା’ ସହିତ ୫୦% ଲାଭକୁ ଯୋଡ଼ି ଏମ୍‌ଏସ୍‌ପି ଧାର୍ଯ୍ୟ କରାଯାଇଥାଏ। ଏମ୍‌ଏସ୍‌ପି ଧାର୍ଯ୍ୟ କରିବାର ତିନୋଟି ପଦ୍ଧତି ବା ଫର୍ମୁଲା ରହିଛି। ପ୍ରଥମଟି ହେଉଛି A2 ଅର୍ଥାତ୍‌ ଫସଲ ପାଇଁ ଆବଶ୍ୟକ ବିହନ, ସାର, କୀଟନାଶକ, କୃଷି ଶ୍ରମିକଙ୍କ ମଜୁରି ଓ ଜଳସେଚନ ପରି ଆନୁଷଙ୍ଗିକ ସମସ୍ତ ଖର୍ଚ୍ଚ ବା ଲଗୁତି ବାବଦରେ ହେଉଥିବା ସମସ୍ତ ବ୍ୟୟ ଏବଂ ତା’ ଉପରେ ୫୦% ଲାଭ ଯାହାକୁ (A2 + ୫୦%) କୁହାଯାଏ। ଦ୍ୱିତୀୟଟି ହେଉଛି (A2 +FL)। ଅର୍ଥାତ୍‌ ଫସଲର ଲଗୁତି ସହିତ କୃଷିରେ ନିୟୋଜିତ କୃଷକର ପରିବାରର ସଦସ୍ୟଙ୍କ ଶ୍ରମର ମୂଲ୍ୟ (Family Labour)କୁ ମିଶାଇ (ଯାହାକୁ A2 + FL କୁହାଯାଏ), ତା’ରି ଉପରେ ୫୦% ଲାଭ ଅର୍ଥାତ୍‌ (A2 + FL+୫୦%) ଏବଂ ତୃତୀୟଟି ହେଲା, A2 +FL ସହିତ ଜମିର ଭଡ଼ା (ଖଜଣା କିମ୍ବା ଭାଗଚାଷ ବାବଦରେ ଦେୟ) ଏବଂ କୃଷି ପାଇଁ ନିଆଯାଇଥିବା ଋଣର ସୁଧକୁ ମିଶାଇ ବ୍ୟୟ (ଯାହାକୁ C2 କୁହାଯାଏ), ତା’ରି ଉପରେ ୫୦% ଅର୍ଥାତ୍‌ C2 + ୫୦%। ସ୍ବାମୀନାଥନ୍‌ କମିଶନ ମଧ୍ୟ ତାଙ୍କ ରିପୋର୍ଟରେ ଉପରୋକ୍ତ ତିନୋଟି ପଦ୍ଧତି ମଧ୍ୟରୁ C2 + ୫୦%କୁ ହିଁ ସବୁଠାରୁ ଉପଯୁକ୍ତ ବୋଲି କହି ତାହାରି ଆଧାରରେ ଫସଲର ଏମ୍‌ଏସ୍‌ପି ଘୋଷଣା କରିବାକୁ ସୁପାରିସ କରିଛନ୍ତି। ଅତୀତରେ ଖୋଦ୍‌ ସିଏସିପି ଓ ନଅଟି ରାଜ୍ୟର ସରକାରମାନେ ମଧ୍ୟ ଏହି ଫର୍ମୁଲାରେ ଏମ୍‌ଏସ୍‌ପି ଧାର୍ଯ୍ୟ କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଥିଲେ। କିନ୍ତୁ ପରିତାପର ବିଷୟ ସରକାର ଏଥର ମଧ୍ୟ ପୂର୍ବଥରଗୁଡ଼ିକ ଭଳି C2 + ୫୦% ବଦଳରେ A2 + FL+୫୦% ହାରରେ ହିଁ ଏମ୍‌ଏସ୍‌ପି ଧାର୍ଯ୍ୟ କରିଛନ୍ତି, ଯାହାକି କୃଷକମାନଙ୍କ ପ୍ରକୃତ ଉପତ୍ାଦନ ଖର୍ଚ୍ଚ ଉପରେ ଆଧାରିତ ନୁହେଁ। କେବଳ ସେତିକି ନୁହେଁ, ଏମ୍‌ଏସ୍‌ପିର ଏହି ବୃଦ୍ଧି ହାର ବଜାର ଦରର ବୃଦ୍ଧିହାରଠାରୁ ବେଶି ନୁହେଁ। ଜିନିଷପତ୍ରର ବାର୍ଷିକ ଖୁଚୁରା ଦରବୃଦ୍ଧିର ହାର ୫% ଏବଂ ଖାଦ୍ୟଦ୍ରବ୍ୟର ବାର୍ଷିକ ବୃଦ୍ଧି ହାର ୭.୯% ଏବଂ ପନିପରିବାର ବାର୍ଷିକ ଦରବୃଦ୍ଧି ହାର ୧୦%ରୁ ଅଧିକ ରହିଥିବା ବେଳେ ଏମ୍‌ଏସ୍‌ପିର ଦରବୃଦ୍ଧିର ହାର ଗତବର୍ଷ ତୁଳନାରେ ୫-୭% ମଧ୍ୟରେ ରହିଛି।
ସରକାର ଧାନର ଏମ୍‌ଏସ୍‌ପିକୁ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ଘୋଷଣା କରିଛନ୍ତି। ଦେଶର ବିଭିନ୍ନ କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଅଧ୍ୟୟନ ହିସାବରେ ଏହା ଧାନର କୁଇଣ୍ଟାଲ ପିଛା ଉପତ୍ାଦନ ଖର୍ଚ୍ଚର ପାଖାପାଖି । ଏପରିକି ୨୦୨୩-୨୪ରେ ସିଏସିପି ପକ୍ଷରୁ ଧାନର C2 ଖର୍ଚ୍ଚ ୧୯୧୧ ଟଙ୍କା ହୋଇଥିବାରୁ ସେଥିରେ ଯଦି ବାଷିକ ୭% ଦରବୃଦ୍ଧି ହାରରେ ୨୦୪୪ ଟଙ୍କା ହେବ। ଯଦି ଉପରୋକ୍ତ ଉପତ୍ାଦନ ଖର୍ଚ୍ଚର ଦେଢ଼ଗୁଣକୁ ଏମ୍‌ଏସ୍‌ପି ବୋଲି ଧରାଯିବ ତା’ହେଲେ, ଏହା ୩୦୬୬ ଟଙ୍କା ହେବା କଥା। ଅତଏବ ଧାନର ଏମ୍‌ଏସ୍‌ପିକୁ ୨୩୦୦ ଟଙ୍କା ଘୋଷଣା କରି ସରକାର କୃଷକମାନଙ୍କୁ କୁଇଣ୍ଟାଲ ପିଛା ୭୬୬ ଟଙ୍କା କମ୍‌ ଦେଉଛନ୍ତି ବୋଲି କୁହାଯାଇପାରେ। ଏପରି କି ଭାଜପା ସରକାର ଛତିଶଗଡ଼ରେ କୁଇଣ୍ଟାଲ ପିଛା ଧାନକୁ ୩୧୦୦ ଟଙ୍କାରେ କିଣୁଥିବା ବେଳେ ଓଡ଼ିଶାରେ ୩୧୦୦ ଟଙ୍କାରେ କିଣିବାକୁ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଛନ୍ତି। ଏଠାରେ ପ୍ରଶ୍ନ ଉଠେ, ଯଦି ଓଡ଼ିଶା ଓ ଛତିଶଗଡ଼ରେ ସରକାର ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆଯାଇପାରୁଛି ତା’ହେଲେ କେନ୍ଦ୍ର ସରକାର ସାରା ଦେଶରେ କୃଷକମାନଙ୍କ ଧାନକୁ ସେହି ଦରରେ ଏମ୍‌ଏସ୍‌ପି ଦେଇ କିଣିବାର ବ୍ୟବସ୍ଥା କରୁନାହିଁ କାହିଁକି?
ଧାନ ବ୍ୟତୀତ ସରକାର ବାଜରା ଦରରେ ୧୨୫ ଟଙ୍କା (୪.୭୬%) ବୃଦ୍ଧି କରି ୨୬୨୫ ଟଙ୍କା କରିଛନ୍ତି, ଯାହାକି ପ୍ରକୃତ ଏମ୍‌ଏସ୍‌ପି (୨୯୦୪ ଟଙ୍କା) ତୁଳନାରେ ୨୭୯ ଟଙ୍କା କମ୍‌। ମକାର ଏମ୍‌ଏସ୍‌ପିକୁ ଗତବର୍ଷ ତୁଳନାରେ ମାତ୍ର ୧୩୫ଟଙ୍କା (୬.୬) ବୃଦ୍ଧି କରି ୨,୨୨୫ ଟଙ୍କା କରିଛନ୍ତି। ଯଦି ଏହା ପ୍ରକୃତ ଉପତ୍ାଦନ ଖର୍ଚ୍ଚର ଆଧାରରେ ସ୍ଥିର କରାଯାଏ ତା’ହେଲେ ୨,୭୯୫ ଟଙ୍କା ହେବ, ଯାହାକି ୫୭୦ ଟଙ୍କା କମ୍‌। ହରଡ ଡାଲିର ଏମ୍‌ଏସ୍‌ପିରେ ମାତ୍ର ୫୫୦ ଟଙ୍କା (୭.୨୮%) ବଢ଼ାଇ ୭୫୫୦ ଟଙ୍କା କରାଯାଇଛି ଅଥଚ ପ୍ରକୃତ ଉପତ୍ାଦନ ଖର୍ଚ୍ଚର ଆଧାରରେ ଏହା ୯୭୫୬ ଟଙ୍କା ହେବା କଥା, ଯାହାକି ୨୨୦୬ ଟଙ୍କା କମ୍‌ । ମୁଗ କୁଇଣ୍ଟାଲ ପିଛା ଏମ୍‌ଏସ୍‌ପିରେ ମାତ୍ର ୧.୪୨% ବଢ଼ାଇ ୮,୬୮୨ ଟଙ୍କା ଘୋଷଣା କରାଯାଇଛି। ଏହାର ପ୍ରକୃତ ଏମ୍‌ଏସ୍‌ପି ୧୦,୯୫୬ ଟଙ୍କା ହେଉଥିବା ଯୋଗୁ କୃଷକକୁ କୁଇଣ୍ଟାଲ ପିଛା ୨,୨୭୪ ଟଙ୍କା କମ୍‌ ମିଳିବାକୁ ଯାଉଛି। ଏହା ବ୍ୟତୀତ ବିରି କୁଇଣ୍ଟାଲ ପିଛା ଏମ୍‌ଏସ୍‌ପି ୯୭୪୪ ଟଙ୍କା ହେଉଥିବା ବେଳେ ୨,୩୪୪ ଟଙ୍କା କମାଇ ୭,୪୦୦ ଟଙ୍କା, ଚିନାବାଦାମ କୁଇଣ୍ଟାଲ ପିଛା ଏମ୍‌ଏସ୍‌ପି ୮,୪୯୬ ଟଙ୍କା ହେଉଥିବା ବେଳେ ତାକୁ ୧,୭୧୩ ଟଙ୍କା କମାଇ ୬,୭୮୩ ଟଙ୍କା, ସୂର୍ଯ୍ୟମୁଖୀ କୁଇଣ୍ଟାଲ ପିଛା ଏମ୍‌ଏସ୍‌ପି ୯,୮୯୧ ଟଙ୍କା ହେଉଥିବା ବେଳେ ସେଥିରୁ ୨,୬୧୧ ଟଙ୍କା କମ୍‌ କରି ଅର୍ଥାତ୍‌ ୭,୨୮୦ ଟଙ୍କା, ସୋୟାବିନ୍‌ କୁଇଣ୍ଟାଲ ପିଛା ଏମ୍‌ଏସ୍‌ପି ୬୪୩୭ ଟଙ୍କା ହେଉଥିବା ବେଳେ ସେଥିରୁ ୧,୫୫୫ ଟଙ୍କା କମ୍‌ କରି ଅର୍ଥାତ୍‌ ୪,୮୯୨ ଟଙ୍କା ଏବଂ କପା ଫସଲର ବି କୁଇଣ୍ଟାଲ ପିଛା ଏମ୍‌ଏସ୍‌ପି ୯,୩୪୫ ଟଙ୍କା ହେଉଥିବା ବେଳେ ସେଥିରୁ ୨,୨୨୪ ଟଙ୍କା କମାଇ ୭,୧୨୧ ଟଙ୍କା ଘୋଷଣା କରାଯାଇଛି।
ଦେଶର କୃଷକମାନେ ନିଜ ଫସଲର କୌଣସି ଲାଭଜନକ ମୂଲ୍ୟ ମାଗୁନାହାନ୍ତି। ସେମାନେ କେବଳ ଫସଲର ଉପଯୁକ୍ତ ମୂଲ୍ୟ ମାଗୁଛନ୍ତି। କିନ୍ତୁ ସରକାର ପୁଣି ଥରେ ସେମାନଙ୍କୁ ଏମ୍‌ଏସ୍‌ପି ନାଁରେ ପ୍ରତାରିତ କରି ସଙ୍କଟ ଭିତରକୁ ଠେଲିଦେବା କଦାପି ଗ୍ରହଣ କରାଯାଇ ନ ପାରେ।
ମୋ: ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ

ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ)...

ଏକ ଅନନ୍ୟ ଦୁନିଆ

ପିଲାମାନେ ଆନିମେଶନ ଚଳଚ୍ଚିତ୍ର କିମ୍ବା କାର୍ଟୁନ କାର୍ଯ୍ୟକ୍ରମ ଯଥା ଟମ୍‌ ଏବଂ ଜେରୀ, ମିକି ମାଉସ୍‌, ଚିକୋ ବଣ୍ଟି , ନିଞ୍ଜା ହତୋଡ଼ି, ଅଗି ଆଣ୍ଡ...

ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri