ଏମ୍ସରେ ମିଳିବ ଡାଏଲିସିସ୍‌ ସୁବିଧା

ଭୁବନେଶ୍ୱର, ୧୪।୭(ବ୍ୟୁରୋ)/ପାତ୍ରପଡ଼ା(ଡି.ଏନ୍‌.ଏ.): ଭୁବନେଶ୍ବର ଏମ୍ସ ହସ୍ପିଟାଲରେ କିଡ଼ନୀ ରୋଗୀ ଏବେ ଡାଇଲିସିସ୍‌ ସୁବିଧା ପାଇପାରିବେ। ଆସନ୍ତା ୧୫ ତାରିଖରେ ଏମ୍ସର ସପ୍ତମ ଭିତ୍ତିପ୍ରସ୍ତର ସ୍ଥାପନ ଦିବସ ସମାରୋହ ଅନୁଷ୍ଠିତ ହେବ। ଏହି ଅବସରରେ ଅତ୍ୟାଧୁନିକ ଡାଏଲିସିସ ୟୁନିଟ୍‌ ଓ ୧୫ଟି ମଡୁଲାର ଓଟି ଉଦ୍‌ଘାଟନ ହେବ। ଏଥିସହ ଏମ୍‌ଆର୍‌ଆଇ ପାଇଁ ଅତ୍ୟାଧୁନିକ ଟେସଲା ମେଶିନ ମଧ୍ୟ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ଏହି ମେଶିନ ଲାଗିଲେ ରୋଗୀ ଅତ୍ୟାଧୁନିକ ସେବା ସହ ଅଧିକ ରୋଗୀ ଏମ୍‌ଆର୍‌ଆଇ ସେବା ପାଇପାରିବେ। ତେବେ ଏଠାରେ ସମସ୍ତ ସୁପରସ୍ପେସିଆଲିଟି ସେବା ଆରମ୍ଭ ହୋଇଥିଲେ ମଧ୍ୟ ନେଫ୍ରୋଲୋଜି ବିଭାଗ ଖୋଲି ପାରି ନ ଥିଲା। କିନ୍ତୁ ଏବେ ଏସବୁ ସମସ୍ୟାର ସମାଧାନ ହେବ। ଯଦି ଓଟି କାର୍ଯ୍ୟ ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ ହୁଏ ତେବେ ଶୁଭାରମ୍ଭ ହେବ। ନଚେତ୍‌ ୨୧ରେ ଏହା ଖୋଲିବ ବୋଲି ଏମ୍ସ ଭୁବନେଶ୍ବର ନିର୍ଦ୍ଦେଶିକା ଗୀତାଞ୍ଜଳୀ ବାଟମାନବେନ୍‌ ସୂଚନା ଦେଇଛନ୍ତି। ଶନିବାର ଏମ୍ସରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ ସୂଚନା ଦେଇ କହିଛନ୍ତି, ଏହି ଉତ୍ସବ ଅବସରରେ ଦୁଇଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ମୁଖ୍ୟତଃ ବାଲେଶ୍ବର ଓ ମେଣ୍ଡାଶାଳଠାରେ ଏକ ମେଗା ହେଲ୍‌ଥ କ୍ୟାମ୍ପ ଆୟୋଜନ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ରହିଛି। ପ୍ରତିଷ୍ଠା ଦିବସ ଉପଲକ୍ଷେ ରବିବାର ବାଲେଶ୍ୱର ସାଟେଲାଇଟ ସେଣ୍ଟରରେ ଏକ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ। ଏହି ଶିବିରରେ ସ୍ପେଶିଆଲିଟି ଓ ସୁପର ସ୍ପେଶିଆଲିଟି ବିଭାଗରେ ମାଗଣା ରୋଗୀସେବା ଯୋଗାଇ ଦିଆଯିବ। ୧୫ ତାରିଖରେ ଭୁବନେଶ୍ୱର ଏମ୍‌ସ ପରିସରରେ ଚାରା ରୋପଣ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ରୁରାଲ ହେଲ୍‌ଥ ଟ୍ରେନିଂ ସେଣ୍ଟରରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ ବୋଲି ନିର୍ଦ୍ଦେଶିକା କହିଛନ୍ତି। ଅନ୍ୟପକ୍ଷରେ ଆସନ୍ତା ବର୍ଷ ଏନ୍‌ଟିପିସି ସହଯୋଗରେ ଏମ୍‌ସରେ ଏକ ବର୍ନ ୟୁନିଟ୍‌ କାର୍ଯ୍ୟକ୍ଷମ ହେବ। ସେହିପରି ନାଲ୍‌କୋ ସହାୟତାରେ ୫୦୬ ଶଯ୍ୟା ବିଶିଷ୍ଟ ଏକ ଧର୍ମାଶାଳା କାର୍ଯ୍ୟ ଚାଲୁଥିବାବେଳେ ଖୁବ୍‌ଶୀଘ୍ର ଏହା ଲୋକଙ୍କ ସେବାରେ ଲାଗିପାରିବ ବୋଲି ଜଣାପଡ଼ିଛି।

Share