ଏମ୍ସ୍‌ ନେଲା ଆୟୁର୍ବେଦର ସହାୟତା: ଡାଇବେଟିସ୍‌ ସମସ୍ୟା ଦୂର କରିବାରେ କାଞ୍ଚନ ଗଛର ପ୍ରଭାବ ସମ୍ପର୍କରେ ହେବ ଅଧ୍ୟୟନ

ନୂଆଦିଲ୍ଲୀ,୧୮।୧: ଏମ୍ସ୍‌ ଏବେ ଆୟୁର୍ବେଦର ସହାୟତା ନେବାକୁ ମନସ୍ଥ କରିଛି। କାଞ୍ଚନ ଗଛର ମଣିଷ ଶରୀର ଉପରେ କିଭଳି ପ୍ରଭାବ ଅନୁଭୁତ ହେଉଛି ସେ ନେଇ ଅନୁଧ୍ୟାନ କରାଯିବ। ଏହାଦ୍ୱାରା ଡାଇବେଟିସ୍‌ ସମସ୍ୟା କିଭଳି ଦୂର ହୋଇପାରୁଛି ତାହା ଉପରେ ଗବେଷଣା କରାଯିବ। କାଞ୍ଚନ ଗଛର ବ୍ୟବହାର ଦ୍ୱାରା ରକ୍ତଚାପ ମଧ୍ୟ ସ୍ବାଭାବିକ ହୋଇପାରିଥାଏ। ଏନେଇ ଝାଡ଼ଖଣ୍ଡ ସରକାର ଏବଂ ଏମ୍ସ୍‌ ମଧ୍ୟରେ ବୁଝାମଣା ହୋଇଛି। କାଞ୍ଚନ ଗଛର ପ୍ରଭାବ ସମ୍ପର୍କରେ ହଜାରୀବାଗ୍‌ ଏବଂ କୋଡରମାରେ ଅଧିକ ଗବେଷଣା କରାଯିବ। କାଞ୍ଚନ ଗଛର ବ୍ୟବହାର କରୁଥିବା ଲୋକ ଏବଂ ଏହାର ବ୍ୟବହାର କରୁ ନ ଥିବା ଲୋକଙ୍କୁ ଅଧ୍ୟୟନରେ ସାମିଲ୍‌ କରାଯିବ ବୋଲି କୁହାଯାଉଛି। ପରୀକ୍ଷା ନିରୀକ୍ଷା ଶେଷ ହେବା ପରେ ଏହାର ରିପୋର୍ଟ ସରକାରଙ୍କ ପାଖରେ ଦାଖଲ କରାଯିବ ବୋଲି ଗବେଷଣାର ନେତୃତ୍ୱ ନେଉଥିବା ଡାକ୍ତର ନନ୍ଦ କୁମାର ସୂଚନା ଦେଇଛନ୍ତି। ସେହିପରି କୋଇଲା ଏବଂ କାଠରେ ରୋଷେଇ କରୁଥିବା ଲୋକଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ଅଧ୍ୟୟନ ମଧ୍ୟ କରାଯିବ ବୋଲି ଗବେଷକ ଦଳ ପକ୍ଷରୁ କୁହାଯାଇଛି।

Share