Categories: ରାଜ୍ୟ

ଏମ୍ସ ସହ ସ୍ବାସ୍ଥ୍ୟ ବିଭାଗର ବୁଝାମଣାପତ୍ର ସ୍ବାକ୍ଷର: ଏମ୍ସରେ ମିଳିବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା

ଭୁବନେଶ୍ୱର,୧୯।୬(ବ୍ୟୁରୋ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)ରେ ଚିକିତ୍ସା ସେବା ପ୍ରଦାନ ନିମନ୍ତେ ମଙ୍ଗଳବାର ଏମ୍ସ ଭୁବନେଶ୍ୱର ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ମନ୍ତ୍ରୀ ନବ କିଶୋର ଦାସ, କମିଶନର ଡା. ପ୍ରମୋଦ କୁମାର ମେହେର୍ଦ୍ଦା, ଏମ୍ସ ନିର୍ଦ୍ଦେଶିକା ଡା. ଗୀତାଞ୍ଜଳି ବି. ଏବଂ ଅନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ରାଜ୍ୟରେ ଗତ ୨୦୧୮ ଅଗଷ୍ଟ ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ। ଏଥିରେ ୧୯୬ ଘରୋଇ ଡାକ୍ତରଖାନା ତାଲିକାଭୁକ୍ତ ହୋଇଥିବା ବେଳେ ମଙ୍ଗଳବାର ଏମ୍ସ ଭୁବନେଶ୍ୱର ଯୋଡ଼ିହୋଇଛି। ମନ୍ତ୍ରୀ ବିଭିନ୍ନ ଘରୋଇ ଡାକ୍ତରଖାନା କର୍ମକର୍ତ୍ତାଙ୍କ ସହିତ ଲୋକଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବିନା ମୂଲ୍ୟରେ ଚିକିତ୍ସା ସେବା ପ୍ରଦାନ କରିବା ସଂକ୍ରାନ୍ତରେ ଆଲୋଚନା କରିଥିଲେ। କୌଣସି ପରିସ୍ଥିତିରେ ଗରିବ ଲୋକେ ଯେପରି ଘରୋଇ ଡାକ୍ତରଖାନାଗୁଡ଼ିକରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି। ଏହି ଯୋଜନାରେ ଘରୋଇ ଡାକ୍ତରଖାନାଗୁଡ଼ିକ ଯୋଗାଇ ଦେଉଥିବା ଚିକିତ୍ସା ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବେ। ଏହାସହ ପ୍ରତି ମାସରେ କେତେଜଣ ରୋଗୀ ଆସୁଛନ୍ତି, କେଉଁ ଅଞ୍ଚଳର, କେଉଁ ପ୍ରକାର ରୋଗ, ସିଧାସଳଖ ଆଡ୍‌ମିଟ ହୋଇଛନ୍ତି ନା ସିଡିଏମ୍‌ଓଙ୍କ ଦ୍ୱାରା ରେଫର୍‌ ହୋଇ ଆସିଛନ୍ତି, ସେ ସବୁର ଟିକିନିଖି ରିପୋର୍ଟ ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଡାକ୍ତରଖାନାଗୁଡ଼ିକର ଏ ବାବଦ ବିଲ୍‌ ପ୍ରଦାନକୁ ଡିଏମ୍‌ଇଟି ତ୍ୱରାନ୍ବିତ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଯେଉଁ ସବୁ ବିଲ୍‌ ବାକି ରହିଛି ବା ଆସିବ, ସେ ସବୁକୁ ତୁରନ୍ତ ପ୍ରଦାନ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Share