Advertisement

ଏମ୍‌ଆରଙ୍କ କବ୍‌ଜାରୁ ମୁକୁଳିପାରୁନି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ

ନୟାଗଡ଼ ଅଫିସ,୮।୯-ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ଏମ୍‌ଆର (ମେଡିସିନ ରିପ୍ରେଜେଣ୍ଟେଟିଭ)ଙ୍କ କବ୍‌ଜାରୁ ମୁକୁଳି ପାରୁନାହିଁ। ମେଡ଼ିକାଲ ପରିସରକୁ କୌଣସି ଏମ୍‌ଆର ଆସିପାରିବେ ନାହିଁ ବୋଲି ନୋଟିସ୍‌ ଲଗାଯାଇଛି। ହେଲେ କେହି ଏହି ନିର୍ଦ୍ଦେଶକୁ ଖାତିର କରୁ ନ ଥିବା ଦେଖିବାକୁ ମିଳୁଛି। ଏମ୍‌ଆରମାନେ ଖୋଲାଖୋଲି ମେଡ଼ିକାଲ୍‌ ପରିସରରେ ପଶି ସେମାନଙ୍କର ବ୍ୟବସାୟର ପସରା ମେଲାଇ ଦେଉଛନ୍ତି।

ଗତ ୨୧ ତାରିଖରେ ମେଡ଼ିକାଲ୍‌ ପରିସରରେ କେତେକ ଏମ୍‌ଆର ଥିବାବେଳେ ଜଣେ ଖବରଦାତା ଏହାର ଭିଡ଼ିଓ ରେକର୍ଡ଼ିଂ କରିଥିଲେ। ଏହା ଦେଖି ଏମ୍‌ଆରମାନେ ଦୌଡ଼ି ପଳାଇଥିଲେ। କିଛି ଏମ୍‌ଆର ସେମାନଙ୍କ ବ୍ୟାଗ୍‌ ନେଇ ଯାଇଥିବା ବେଳେ ଆଉ କେତେକ ସେମାନଙ୍କର ବ୍ୟାଗ୍‌କୁ ଛାଡ଼ି ପଳାଇ ଯାଇଥିଲେ। ଏହି ଘଟଣାରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏମ୍‌ଆରମାନେ ମେଡ଼ିକାଲ୍‌ରେ ପ୍ରବେଶ କରିବେ ନାହିଁ ବୋଲି ପ୍ରକାଶ କରିଥିଲେ। ଯଦି ପଶିବେ ତାହାହେଲେ ସେମାନଙ୍କ ନାମରେ ଥାନାରେ ଅଭିଯୋଗ କରାଯିବ ବୋଲି କୁହାଯାଇଥିଲା। ଏହି ଘଟଣା ପରେ ଏମ୍‌ଆରମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇ ଯାଇଥିଲା। ଫଳରେ କିଛି ଦିନ ହେଲାଣି ମେଡ଼ିକାଲରେ ଏମ୍‌ଆରମାନଙ୍କ ଦେଖା ମିଳୁ ନ ଥିଲା। ହେଲେ ଏମ୍‌ଆରମାନେ ଏବେ ସେମାନଙ୍କ ତରିକା ବଦଳାଇ ଦେଇଛନ୍ତି। ସେମାନେ ଦିନ ପରିବର୍ତ୍ତେ ରାତିରେ ଆସୁଛନ୍ତି। ବାଇକ୍‌ ବଦଳରେ କାର୍‌ରେ ଆସୁଥିବା ଜଣାଯାଇଛି। ଶୁକ୍ରବାର ସନ୍ଧ୍ୟା ୮ଟାରେ ଦୁଇ ଜଣ ଏମ୍‌ଆର କାରରେ ଆସି ଗାଡିକୁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପାର୍କିଂ କରି ବ୍ୟାଗ୍‌ ଧରି ଭିତରକୁ ପ୍ରବେଶ କରିଥିଲେ। ପରେ ଡାକ୍ତରଙ୍କ ଚାମ୍ବରକୁ ଯାଇ ସେମାନଙ୍କ କମ୍ପାନୀର ଉତ୍ପାଦ ଦେଖାଇଥିଲେ। ଡାକ୍ତରମାନେ ସେମାନଙ୍କ ଠାରୁ କିଛି ଉପହାର ପାଉଥିବାରୁ ସେମାନଙ୍କ ଔଷଧ ଉପତ୍ାଦ ଦେଖିବା ସହିତ ଉକ୍ତ ଔଷଧ ରୋଗୀଙ୍କ ପାଇଁ ସାଦା କାଗଜରେ ଲେଖି କିଣି ନେବା ପାଇଁ କହୁଛନ୍ତି। ଯାହା ନିୟମ ବିରୋଧୀ। ସେହିଭଳି ଦିନରେ କେତେକ ଏମ୍‌ଆର ବ୍ୟାଗ୍‌ ନ ଆଣି ଡାକ୍ତରଙ୍କ ପାଖେ ପାଖେ ରହୁଛନ୍ତି। ସୁଯୋଗ ମିଳିଲେ ପକେଟରେ ଆଣିଥିବା ସେମାନଙ୍କର ଉପତ୍ାଦ ଦେଖାଉଛନ୍ତି। ତେଣୁ ଏମ୍‌ଆରଙ୍କ କବଜାରୁ ମୁକୁଳି ପାରୁନାହିଁ ଜିଲା ମୁଖ୍ୟ ଚିକିତ୍ସାଳୟ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି ରାତିରେ ଏମ୍‌ଆରମାନେ ଆସୁଥିଲେ ସେମାନଙ୍କୁ ଭିତରକୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ସିକ୍ୟୁରିଟିମାନଙ୍କୁ କୁହାଯିବ। ଯଦି ସେମାନେ ଏହାକୁ ଅମାନ୍ୟ କରି ଭିତରକୁ ପଶନ୍ତି ତାହା ହେଲେ ସେମାନଙ୍କ ନାମରେ ଥାନାରେ ଅଭିଯୋଗ କରାଯିବ ବୋଲି ଡା. ମହାପାତ୍ର କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share