ଭୁବନେଶ୍ୱର, ୭।୪( ବ୍ୟୁରୋ): ରାଜ୍ୟର ସବୁ ବିଧାୟକଙ୍କ ହାତପାଣ୍ଠି ବା ଏମ୍ଏଲ୍ଏ ଲାଡ୍ ଫଣ୍ଡକୁ ଆସନ୍ତା ୨ ବର୍ଷ ଲାଗି ବନ୍ଦ କରାଯାଉ। ଏ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଙ୍ଗଳବାର ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।
ସେ କହିଛନ୍ତି ଯେ, କରୋନା ମୁକାବିଲା ଲାଗି ସାରା ଦେଶ ଓ ରାଜ୍ୟ ଏକ ମନ ଓ ଏକ ପ୍ରାଣରେ ଲଢ଼େଇ କରୁଛି। ବର୍ତ୍ତମାନ ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକପ୍ରତିନିନିଧିମାନଙ୍କର ବଡ଼ ଭୂମିକା ରହିଛି। ତେଣୁ ରାଜ୍ୟର ବିଧାୟକ ଓ ମନ୍ତ୍ରୀଙ୍କ ଦରମା ୩୦ ପ୍ରତିଶତ କମ୍ କରିବାକୁ ସେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।
ସୋମବାର କେନ୍ଦ୍ର ସରକାର ଏମ୍ପିମାନଙ୍କ ପାଇଁ ଏହି ପ୍ରସ୍ତାବ ଲାଗୁ କରିଥିଲେ। କେନ୍ଦ୍ରର ଏହି ବ୍ୟବସ୍ଥା ରାଜ୍ୟରେ ଅନୁରୂପ ଭାବେ ଲାଗୁ କରାଯାଉ ବୋଲି ବିରୋଧୀ ଦଳ ନେତା କହିଛନ୍ତି। ସେହିପରି ସରକାରୀ ସଂସ୍ଥାର ଅଧ୍ୟକ୍ଷ ଥିବା ରାଜନୈତିକ ବ୍ୟକ୍ତିଙ୍କ ଦରମା କମାଯାଉ। ଏହି ଅର୍ଥକୁ କରୋନା ମୁକାବିଲାରେ ଖର୍ଚ୍ଚ କରାଯାଉ। ଏମ୍ପି ପାଣ୍ଠି ବନ୍ଦ ଲାଗି କେନ୍ଦ୍ରର ନିଷ୍ପତ୍ତି ଆଧାରରେ ପ୍ରଦୀପ୍ତ ନାଏକ ପ୍ରସ୍ତାବ ଦେଇଛନ୍ତି।