Categories: ଖେଳ

ଏମ୍‌ଏସ୍‌ ଧୋନୀ କ୍ରିକେଟ ଏକାଡେମୀ: ନିମପୁରରେ ଆରମ୍ଭ ହେଲା କୋଚିଂ କ୍ଲିନିକ୍‌

କଟକ ଅଫିସ,୨୬ା୫- ଏମ୍‌ଏସ୍‌ ଧୋନୀ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ସ୍ଥାନୀୟ ନିମପୁର କ୍ରିକେଟ ଗ୍ରାଉଣ୍ଡରେ ଶନିବାର ଠାରୁ ଆରମ୍ଭ ହୋଇଛି କ୍ରିକେଟ କୋଚିଂ କ୍ଲିନିକ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଶିବିରରେ ମୋଟ ୧୦୨ଜଣ ପ୍ରଶିକ୍ଷାର୍ଥୀ ବିଭିନ୍ନ ବୟସ ବର୍ଗରେ ପ୍ରଶିକ୍ଷଣ ନେଉଛନ୍ତି । ଏଥି ମଧ୍ୟରେ ହାଇଦ୍ରାବାଦର ଦୁଇଜଣ ପ୍ରଶିକ୍ଷାର୍ଥୀ ମଧ୍ୟ ରହିଛନ୍ତି । ଏକାଡେମୀର ମୁଖ୍ୟ କୋଚ୍‌ ତଥା ଏନସିଏର ଲେଭଲ-୩ ଯୋଗ୍ୟତା ପ୍ରାପ୍ତ କୋଚ୍‌ ସୁଦୀପ ମିତ୍ରଙ୍କ ତତ୍ତ୍ବାବଧାନରେ ଏହି ଶିବିର ଚାଲିଛି । ଆଇସିସିର ଲେଭଲ-୨ କୋଚ୍‌ କପୁର ଚାନ୍ଦ ଅଗ୍ରୱାଲ, ଏନ୍‌ସିଏର ଲେଭଲ-ଏ କୋଚ୍‌ ଅଭିଜିତ ଥଣ୍ଡର ଓ ସନ୍ଦୀପ ଦାସ ମଧ୍ୟ ଅଛନ୍ତି। ସୂଚନାଥାଉକି, ଏମ୍‌ଏସ୍‌ ଧୋନୀ କ୍ରିକେଟ ଏକାଡେମୀ ଅର୍କ ସ୍ପୋଟର୍‌ସର ଏକ ଅନୁଷ୍ଠାନ। ଧୋନୀଙ୍କ ବାଲ୍ୟବନ୍ଧୁ ମିହିର ଦିୱାକର ହେଉଛନ୍ତି ଅର୍କ ସ୍ପୋଟର୍‌ସର ପ୍ରତିଷ୍ଠାତା । ମିହିର ଭାରତୀୟ ୧୯ବର୍ଷରୁ କମ ବିଶ୍ୱକପ ବିଜେତା ଦଳର ଖେଳାଳି ମଧ୍ୟ ଥିଲେ । ଧୋନୀଙ୍କ ପରାମର୍ଶରେ ଉକ୍ତ ଏକାଡେମୀ ଚାଲିଛି । କ୍ଲିନିକ ନିମନ୍ତେ ପଞ୍ଜୀକରଣ ଶୁଳ୍କ ୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ୨୨ବର୍ଷରୁ କମ୍‌ ବୟସର ଖେଳାଳିମାନଙ୍କୁ କେବଳ ପ୍ରଶିକ୍ଷଣ ଦିଆଯାଉଛି । ଶନିବାର ସମସ୍ତ ଟ୍ରେନିଂର ଭିଡ଼ିଓ ରେକଡିଂ କରାଯାଇଥିବା ଜଣାପଡ଼ିଛି। ରବିବାର ଦିନ ଭିଡ଼ିଓ ଆନାଲିସିସ ମାଧ୍ୟମରେ ଖେଳାଳିମାନଙ୍କ କେଉଁଠାରେ ତ୍ରୁଟି ରହୁଛି ତାହା ଶିବିରାର୍ଥୀ ଙ୍କୁ ଶିକ୍ଷା ଦିଆଯିବ । ଏହାଛଡ଼ା ସମସ୍ତ ପ୍ରଶିକ୍ଷାର୍ଥୀଙ୍କ ନିମନ୍ତେ ସ୍ବତନ୍ତ୍ର ଫିଜିକାଲ ଫିଟନେସ ଓ ଡାଏଟ ପ୍ଲାନ ଯୋଗାଇ ଦିଆଯିବାର ଯୋଜନା ରହିଛି ।
ସେମାନଙ୍କ ମତରେ-
ଶିବିର ହେଉଛି ବୋଲି ଜାଣିବା ପରେ ମୋ କୋଚ୍‌ ମୋତେ ଓଡ଼ିଶା ଯିବାକୁ ପରାମର୍ଶ ଦେଇଥିଲେ। ପ୍ରଥମ ଦିନରୁ ଅନୁଭବ ହେଉଛି ଯେ, ଶିବିରରେ ବହୁତ କିଛି ଶିଖିବାକୁ ମିଳିବ। ତ୍ରୁଟି ସୁଧାରିବାର ସୁଯୋଗ ମିଳିବ। ବାମହାତୀ ବ୍ୟାଟ୍ସମ୍ୟାନ ହୋଇଥିବାରୁ କିଛି ବଲ ଖେଳିବାର ଅସୁବିଧା ହେଉଛି। ଏଠାରେ ଏହାର ସମାଧାନ ବାଟ ମିଳିବ ବୋଲି ଆଶା ।
– ଏସ୍‌ ମନୀଷ ନାଇଡୁ, ହାଇଦ୍ରାବାଦ
ଗତ କିଛି ବର୍ଷ ହେବ କ୍ରିକେଟରେ କ୍ୟାରିୟର କରିବି ବୋଲି ସ୍ଥିର କରି ସାରିଛି । କଟକରେ ଏପରି ଏକ ଶିବିରର ଆୟୋଜନ ସମସ୍ତ ନବାଗତ କ୍ରିକେଟରଙ୍କର ନୂତନ ଶିକ୍ଷା ପାଇଁ ସୁଯୋଗ ସୃଷ୍ଟି କରିଛି । ପ୍ରଥମ ଦିବସରେ ଏଠାରେ ଯେପରି ପରିବେଶ ଥିଲା, ତାହା ମଧ୍ୟ ଆମ ପାଇଁ ନୂଆ । ୭ଦିନ ଭିତରେ ଆମ ଖେଳରେ ଅନେକ କିଛି ପରିବର୍ତ୍ତନ ହୋଇଥିବ ।
– ଅନୀଲ କୁମାର ସାହୁ, କଟକ
ଗୋଟିଏ ବର୍ଷ ହେବ କ୍ରିକେଟ ଖେଳୁଛି । ସମ୍ପ୍ରତି କ୍ରିକେଟ ଖେଳ ଭାରତରେ ଯେପରି ଭାବେ ଚ୍ୟାଲେଞ୍ଜିଂ ହେଲାଣି ନବାଗତମାନେ ନିଜକୁ ଅଧିକରୁ ଅଧିକ କ୍ଷମତା ସମ୍ପନ୍ନ କରିବା ଦରକାର । ଏହି ଶିବିରରେ ବହୁତ କିଛି ଶିଖିବାକୁ ମିଳିବ ବୋଲି ଆଶା ।
– ଦିବ୍ୟତୋଷ ମିଶ୍ର, କେନ୍ଦୁଝର
ଯୁବ ପ୍ରତିଭାମାନେ କ୍ରିକେଟର ଅନ୍ୟଏକ ସ୍ତର ସମ୍ପର୍କରେ ଏଠାରେ ଅବଗତ ହେବେ । କେବଳ ଭଲ ଖେଳିଲେ ନୁହେଁ, ବରଂ ଶୃଙ୍ଖଳିତ ଜୀବନ ଶୈଳୀର ଜ୍ଞାନ ମଧ୍ୟ ଏହି ଶିବିରରୁ ପାଇବେ । ଶିବିର ଅନେକ ପ୍ରତିଭାଙ୍କୁ ଉତ୍ସାହିତ କରିବା ନିଶ୍ଚିତ ।
– ବିଭୁ ଶତପଥୀ, ଏକାଡେମୀର ଓଡ଼ିଶା ମ୍ୟାନେଜର

Share