ବ୍ରହ୍ମପୁର ଅଫିସ,୧୧।୪: କରୋନା ଭାଇରସ୍ ଏବେ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାକୁ ରୋକିବା ପାଇଁ ଏଯାବତ୍ କୌଣସି ଟିକା ବାହାରିନାହିଁ। ଏବେ କେବଳ ସାମାଜିକ ଦୂରତା ରକ୍ଷା କରିବା ହିଁ ସବୁଠାରୁ ବଡ଼ ଉପାୟ। ଅନ୍ୟପକ୍ଷରେ ଏମ୍କେସିଜି ମେଡିକାଲରେ ଦିନକୁ ଦିନ କରୋନା ସନ୍ଦିଗ୍ଧ ଭର୍ତ୍ତି ହେଉଛନ୍ତି । ପ୍ରଥମ ଥର ପାଇଁ ବ୍ରହ୍ମପୁର ଗାନ୍ଧୀନଗର ଅଞ୍ଚଳର ଜଣେ କରୋନା ସନ୍ଦିଗ୍ଧ ଶନିବାର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେ ଗତ ୨୬ ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ନିଜ ଘରକୁ ଫେରିଥିଲେ। ଶନିବାର ସକାଳେ ତାଙ୍କୁ ଭୀଷଣ ଜ୍ୱର ସହ କାଶ ହୋଇଥିଲା। ତେବେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ରବିବାର ତାଙ୍କର ସ୍ବାବ୍ ଟେଷ୍ଟ ପାଇଁ ଭୁବନେଶ୍ୱର ପଠାଯିବ ବୋଲି ଏମ୍କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ଡ.ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ଉକ୍ତ ମେଡିକାଲର ସ୍ବତନ୍ତ୍ର କରୋନା ଓ୍ବାର୍ଡରେ ୬ ଜଣ ସନ୍ଦିଗ୍ଧ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ବାବ୍ ରିପୋର୍ଟ ଏବେ ସୁଦ୍ଧା ଆସି ନ ଥିବା ଅଧୀକ୍ଷକ କହିଛନ୍ତି।