ଏମ୍‌କେସିଜିରେ ଯାଆଁଳା ସନ୍ତାନ ଜନ୍ମଦେଲେ କରୋନା ସଂକ୍ରମିତ ମହିଳା

ବ୍ରହ୍ମପୁର,୧୩ା୫(ଡି.ଏନ୍‌.ଏ.): ଏମ୍‌କେସିଜି ବଡ଼ ମେଡିକାଲରେ ବୁଧବାର ସକାଳୁ ସିତଲାପଲ୍ଲୀ କୋଭିଡ୍‌-୧୯ ହସ୍ପିଟାଲରେ ଚିକିତ୍ସାଧୀନ ଗଞ୍ଜାମ ଜିଲାର ଜଣେ ୩୨ ବର୍ଷୀୟା ମହିଳା ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି। ମହିଳା ଜଣକ ଏକ ପୁତ୍ର ଓ କନ୍ୟାକୁ ଜନ୍ମ ଦେଇଥିଲେ। ଏହାର କିଛି ସମୟ ପରେ ଶିଶୁପୁତ୍ର ଆଖି ବୁଜିଦେଇଛି।
ସୂଚନାନୁଯାୟୀ, କିଛିଦିନ ତଳେ ସୁରଟରୁ ଟ୍ରେନ୍‌ରେ ଫେରିବା ପରେ ସଂପୃକ୍ତା ମହିଳାଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା। ସ୍ବାବ୍‌ ନମୁନା ପରୀକ୍ଷଣ ପରେ ପଜିଟିଭ୍‌ ଚିହ୍ନଟ ହୋଇଥିଲା। ତେଣୁ ତାଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ସକାଳୁ ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ଏମ୍‌କେସିଜି ପଠାଇଥିଲେ। କାଜୁଆଲିଟିକୁ ଅଣା ଯିବା ପରେ ଅସ୍ତ୍ରୋପଚାର ଗୃହରେ ପ୍ରସୂତି ବିଭାଗର ଏକ ସ୍ବତନ୍ତ୍ର ଡାକ୍ତର ଓ ନର୍ସ ଦଳଙ୍କ ଦ୍ୱାରା ପ୍ରସବ କରାଯାଇଥିଲା। ମହିଳା ଜଣକ ସମୟ ପୂର୍ବରୁ ଶିଶୁ ଜନ୍ମ ଦେଇଥିବାରୁ ଶିଶୁପୁତ୍ରର ଓଜନ ମାତ୍ର ୯୦୦ ଗ୍ରାମ ରହିଥିଲା । ସେହି କାରଣରୁ ଶିଶୁପୁତ୍ରଟିର ମୃତ୍ୟୁ ହୋଇଥିବା ଏମକେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର କହିଛନ୍ତି। ତେବେ ଶିଶୁକନ୍ୟା ଜଣକ ସୁସ୍ଥ ଥିବା ସେ କହିଛନ୍ତି।