Categories: ଗଞ୍ଜାମ

ଏମ୍‌କେସିଜିରେ ୫ ଅପମୃତ୍ୟୁ ମାମଲା

ବ୍ରହ୍ମପୁର ଅଫିସ,୧ା୯-ଏମ୍‌କେସିଜି ମେଡିକାଲରେ ଦିନକରେ ୫ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ୨ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କର ବିଦ୍ୟୁତ୍‌ ଆଘାତ, ଜଣଙ୍କର ବିଷ କ୍ରିୟା ଓ ଅନ୍ୟ ଜଣେ ୭ ବର୍ଷର ଶିଶୁ ଚେୟାରରୁ ପଡି ମୃତ୍ୟୁ ଘଟିଥିବା ମେଡିକାଲ ଫାଣ୍ଡି ପୋଲିସ ସୂଚନା ଦେଇଛି। ପୋଲସରାର ସୁକାନ୍ତି ପାଣିଗ୍ରାହୀ ଶୁକ୍ରବାର ରାତିରେ ଘରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା। ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଶନିବାର ମୃତଦେହ ଜବତ କରି ନଂ.୪୬୦/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସେହିପରି ଶେରଗଡ ଥାନା କୁରୁଲା ଗ୍ରାମର ରୁକ୍ମଣୀ ବେହେରା ଘରେ ଶୋଇଥିବା ବେଳେ ଶୁକ୍ରବାର ମଧ୍ୟ ରାତିରେ ତାଙ୍କୁ ଏକ ସାପ କାମୁଡି ଦେଇଥିଲା। ପରିବାର ଲୋକେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ଶନିବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ନଂ.୪୬୩/୧୯ରେ ଅପମୃତ୍ୟୁ ମାମଲା ରୁଜୁ କରିଛି। ସେହିପରି ରାୟଗଡ଼ା ଜିଲା ଗୁଣପୁର ଥାନା ଖଲାଖମା ଗ୍ରାମର ସମ୍ବାରୁ ଶବରଙ୍କ ପୁଅ ବିଶ୍ୱନାଥ ଘରୋଇ କଳିକୁ କେନ୍ଦ୍ରକରି ଶୁକ୍ରବାର ଅପରାହ୍ନରେ ବିଷପାନ କରିଥିଲେ। ଘର ଲୋକେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ନଂ. ୪୬୧/୧୯ରେ ଅପମୃତ୍ୟୁ ମାମଲା ରୁଜୁ କରିଛି। ସେହିପରି ପାଟପୁର ଥାନା ଅନ୍ତର୍ଗତ କଂସାମାରି ଗ୍ରାମର ରଇବାର ପ୍ରଧାନଙ୍କ ୭ ବର୍ଷର ପୁଅ କାଶୀନାଥ ଶୁକ୍ରବାର ଘରେ ଖେଳୁଥିବା ବେଳେ ଏକ ଚେୟାରରୁ ସେ ଖସିପଡି ଗୁରୁତର ହୋଇପଡିଥିଲେ। ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଶନିବାର ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ନଂ.୪୬୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଚମାଖଣ୍ଡି ଥାନା ଅନ୍ତର୍ଗତ ନାଉଳି ଗ୍ରାମର ହରିଶ୍ଚନ୍ଦ୍ର ବେହେରାଙ୍କ ସ୍ତ୍ରୀ ପ୍ରଭାସିନୀ ଶନିବାର ମଧ୍ୟାହ୍ନରେ ଫ୍ୟାନ୍‌ ସୁଇଚ ମାରିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡିଥିଲେ। ପରେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ନଂ.୪୬୫/ ୧୯ରେ ଅପମୃତ୍ୟୁ ମାମଲା ରୁଜୁ କରିିଛି।